ଜାନୁଆରୀ ୨୬ ହିଂସା ପଛରେ ଦିଶା, ନିକିତା ଓ ଶାନ୍ତନୁ । ଦିଶା ରବିଙ୍କୁ ଗିରଫ କରି ଅନ୍ୟ ୨ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କଲା ଦିଲ୍ଲୀ ପୋଲିସ ।

343

କନକ ବ୍ୟୁରୋ: ୨୨ ବର୍ଷୀୟ ଦିଶା ରବିଙ୍କୁ ଗ୍ରେଟା ଥନବର୍ଗ ଟୁଲ କିଟ ମାମଲାର ଗିରଫ କରିଛି ପୋଲିସ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବାଙ୍ଗାଲୁରର ୨୨ ବର୍ଷୀୟ ପରିବେଶବିତ ଦିଶା ରବି ଗିରଫ ହେବା ପରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଖୋଜାଚାଲିଛି । ଦିଶା ରବିଙ୍କୁ ପୋଲିସ ୫ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ନିକିତା ଜାକବ ଓ ଶାନ୍ତନୁ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ଦିଲ୍ଲୀରେ ହିଂସା ଉସୁକାଇବାରେ ଏହି ଟୁଲ୍ କିଟକୁ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ରହିଛି ।

ମିଳିଥିବା ସୂଚନା ଅନୁସାରେ ୪ଦିନ ପୂର୍ବରୁ ନିକିତାଙ୍କ ଘରକୁ ଯାଇ ପୋଲିସ ତାଙ୍କର ଇଲେକଟ୍ରନିକ୍ସ ଗ୍ୟାଜେଟର ଯାଂଚ କରିଥିଲା । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ତାଙ୍କୁ ପଚରା ଉଚରା କରାଯାଇ ପାରିନଥିଲା । ତା ପରଦିନ ଠାରୁ ସେ ଫେରାର ଅଛନ୍ତି । ନିକିତା ଜାକବ ପେଶାରେ ଜଣେ ଆଇନଜୀବୀ । ସେହିପରି ଶାନ୍ତନୁଙ୍କ ନାଁରେ ମଧ୍ୟ ଜାମିନ ବୀହିନ ଗିରଫ ପରୱାନା ଜାରି କରାଯାଇଛି । କୁହାଯାଉଛି ଶାନ୍ତନୁ ହେଉଛନ୍ତି ନିକିତା ଓ ଦିଶାଙ୍କ ଘନିଷ୍ଟ ସହଯୋଗୀ ଏବଂ ଟୁଲ୍ କିଟକୁ ଏଡିଟ କରିବା ସହ ତାକୁ ଭାଇରାଲ କରିବାରେ ଶାନ୍ତନୁଙ୍କ ଭୂମିକା ମଧ୍ୟ ରହିଛି ।

ଖଲିସ୍ତାନ ସଂଗଠନ ‘ପଏଟିକ ଜଷ୍ଟିସ ଫାଉଣ୍ଡେସନ’ର ଏମଓ ଧାଲିବାଲ, କାନାଡାର ରହୁଥିବା ଜଣେ ପୁନିତ ନାମକ ବ୍ୟକ୍ତିଙ୍କ ସାହାଯ୍ୟରେ ନିକିତା ସହ ଯୋଗଯୋଗ କରିଥିଲେ ଏବଂ ଗଣତନ୍ତ୍ର ଦିବସ ପୂର୍ବରୁ ଜୁମ୍ ଆପରେ ନିକିତା ଓ ଅନ୍ୟ ମାନଙ୍କର ମିଟିଂ ହୋଇଥିଲା । ଜାନୁଆରୀ ୨୬ପୂର୍ବରୁ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟରରେ ହଇଚଇ ଉତ୍ପନ୍ନ କରିବା ଏମାନଙ୍କ ଉଦ୍ଦେଶ୍ୟ ଥିଲା । ପରିବେଶବିତ ଦିଶା ରବି, ଚାଷୀ ଆନ୍ଦୋଳନ ସମ୍ପର୍କରେ ଟୁଲ୍ କିଟ୍କୁ ଏଡିଟ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ନେଇ ଅଭିଯୋଗ ରହିଛି ।

କ’ଣ ଏହି ଟୁଲ୍ କିଟ?

– କୌଣସି ପ୍ରସଙ୍ଗକୁ ବୁଝାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଗୁଗଲ ଡକ୍ୟୁମେଂଟ ହେଉଛି ଟୁଲ୍ କିଟ୍
– ସମସ୍ୟାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ଏଥିରେ ସୂଚନା ଦିଆଯାଇଥାଏ
– ଆକ୍ସନ ପଏଂଟ ସମ୍ପର୍କରେ ଏଥିରେ ଉଲ୍ଲେଖ ଥାଏ
– ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଏ
– କ୍ୟାମ୍ପେନ ସମେତ ସାମୁହିକ ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦିଆଯାଏ
– ଏଥିରେ ଯେକୌଣସି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ଓ ଜନ ଆନ୍ଦୋଳନ ସମ୍ପର୍କରେ ସୂଚନା ଦିଆଯାଏ