ଚାଷୀ ଆନ୍ଦୋଳନକୁ ନେଇ ବିଦେଶରେ ଚର୍ଚ୍ଚା । ପପ ଷ୍ଟାର ରିହାନାଙ୍କ ଟୁଇଟ ପରେ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ । ବିଦେଶ ମନ୍ତ୍ରାଳୟ କହିଲା, ପ୍ରକୃତ କଥା ନବୁଝି କରାଯାଉଛି ଟୁଇଟ 

312

କନକ ବ୍ୟୁରୋ : ପପ୍ ଷ୍ଟାର ରିହାନା ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ କରିବା ପରେ ସେଲିବ୍ରିଟିଙ୍କ ମଧ୍ୟରେ ଜଙ୍ଗଲର ନିଆଁ ଭଳି ଖେଳିଗଲା । ଏହାପରେ ଜଣକ ପରେ ଜଣେ ଟ୍ୱିଟ କରିବାକୁ ଲାଗିଲେ । ବ୍ରିଟିଶ ସାଂସଦ, କ୍ଲାଉଡିଆ ୱେବ ଲେଖିଛନ୍ତି, ଏହା ଭାରତୀୟ କୃଷକଙ୍କ ଏକତାକୁ ଦର୍ଶାଉଛି । ଧନ୍ୟବାଦ ରିହାନା । ଏପରି ଏକ ଯୁଗ ଯେବେ ରାଜନୈତିକ ନେତୃତ୍ୱର ଅଭାବ ରହିଛି, ସେହି ସମୟରେ ଅନ୍ୟମାନେ ଆଗକୁ ଆସିବା ପାଇଁ ଧନ୍ୟବାଦ । ସେହିପରି ଆମେରିକାର ହାଉସ ଅଫ ରିପ୍ରେଜେନଟେଟିଭ ସଦସ୍ୟ ଜିମ କୋଷ୍ଟା ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ଭାରତରେ ଘଟୁଥିବା ଘଟଣା ଚିନ୍ତାଜନକ । ବିଦେଶ ବ୍ୟାପାର ସମିତିର ସଦସ୍ୟ ଭାବେ ମୁଁ ଏହି ଘଟଣା ଉପରେ ନଜର ରଖିଛି । ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଅଧିକାରକୁ ସବୁ ସ୍ଥାନରେ ସମ୍ମାନ ଦେବା ଆବଶ୍ୟକ ।

ଆମେରିକୀୟ ଆଇନଜୀବୀ ତଥା ଆମେରିକା ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ଝିଆରୀ ମୀନା ହ୍ୟାରିସ, କ୍ୟାପିଟଲ ହିଲ ଘଟଣାକୁ ଦିଲ୍ଲୀ ଆନ୍ଦୋଳନ ସହ ତୁଳନା କରି ଲେଖିଛନ୍ତି, ଯେଉଁଠି ଏକ ମାସ ପୂର୍ବେ ବିଶ୍ୱର ସବୁଠୁ ପୁରୁଣା ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିଲା ଏବେ ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦେଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେବା ଦେଖୁଛୁ । ଚାଷୀ ଆନ୍ଦୋଳନ ଉପରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଓ ଇଂଟରନେଟ ସେବା ବନ୍ଦ କରିବା ନିନ୍ଦନୀୟ ।

ଦିଲ୍ଲୀ ଚାଷୀ ଆନ୍ଦୋଳନ ପାଇଁ କରାଯାଇଥିବା ଏହି ଟ୍ୱିଟ ଗୁଡିକରେ ହ୍ୟାସଟ୍ୟାଗ ଫାର୍ମର୍ସପ୍ରୋଟେଷ୍ଟ ବ୍ୟବହାର କରାଯାଇଛି । ଏଭଳି ସବୁ ପ୍ରତିକ୍ରିୟା ଆସିବା ପରେ କଡା ଟିପ୍ପଣୀ ରଖିଛି ଭାରତ ବିଦେଶ ମନ୍ତ୍ରାଳୟ ।

ଭାରତର ବିଦେଶ ମନ୍ତ୍ରାଳୟ ବିବୃତି ଜାରି କରି କହିଛି, ପ୍ରସଙ୍ଗକୁ ଠିକ୍ ଭାବେ ବୁଝିବା ସହ ପ୍ରମାଣର ସତ୍ୟତାକୁ ଅନୁସନ୍ଧାନ କରିବା ପରେ କୌଣସି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିବା ଆବଶ୍ୟକ । ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ଓ ସମ୍ବେଦନଶୀଳ ଖବର ପ୍ରସାର କରିବାରୁ ନିବୃତ  ରହିବା ଆବଶ୍ୟକ, ବିଶେଷ ଭାବେ ସେହି ବ୍ୟକ୍ତି ମାନେ ଯତ୍ନବାନ ହେବା ଆବଶ୍ୟକ ଯାହାର ଟିପ୍ପଣୀ ନା ଠିକ୍ ଅଛି ନା ଦାୟିତ୍ୱପୂର୍ଣ୍ଣ ଅଛି । ବିଦେଶୀମାନେ ଭାରତରେ ନିଜ ଏଜେଣ୍ଡା ଚଲାନ୍ତୁ ନାହିଁ । ଏକ ଛୋଟ ଗୋଷ୍ଠୀ ଏହି ଆନ୍ଦୋଳନ କରୁଛନ୍ତି ।

ବିଦେଶ ମନ୍ତ୍ରାଳୟର ଏଭଳି ମନ୍ତବ୍ୟ ଆସିବା ପରେ ଟ୍ୱିଟରକୁ ମଧ୍ୟ ନୋଟିସ ଜାରି କରିଛନ୍ତି ଭାରତ ସରକାର । ଏକ ଗୋଷ୍ଠୀ ଫାର୍ମର ଜେନୋସାଇଡ ହ୍ୟାସଟ୍ୟାଗ ବ୍ୟବହାର କରି ଏହି ବିଷୟରେ ଟ୍ୱିଟ କରୁଛନ୍ତି । ତୁରନ୍ତ ଏହାକୁ ହଟାଇବା ପାଇଁ ନୋଟିସ୍ କରାଯାଇଛି । ନଚେତ ପେନାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟରକୁ ଚେତାବନୀ ଦେଇଛନ୍ତି ସରକାର ।

ପପ୍ ଷ୍ଟାର ରିହାନା ତାଙ୍କ ଟ୍ୱିଟରେ ଲେଖିଥିଲେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କାହିଁକି କେହି କଥା ହେଉନାହାନ୍ତି । ଏହାର ଜବାବ ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ଟ୍ୱିଟ କରି ଲେଖିଛନ୍ତି, ଏହି ପ୍ରସଙ୍ଗରେ କେହି କଥା ହେଉନାହାନ୍ତିଁ କାରଣ ସେମାନେ ଚାଷୀ ନୁହଁନ୍ତି ସେମାନେ ଆତଙ୍କବାଦୀ, ଯିଏ ଦେଶକୁ ବିଭାଜନ କରିବାରେ ଲାଗିପଡିଛନ୍ତି । ଯାହା ଦ୍ୱାରା ଦେଶର ଅଂଶକୁ ଚୀନ୍ ନିଜ ଅକ୍ତିଆରକୁ ନେଇ ଚୀନ୍ କଲୋନୀ ନିର୍ମାଣ କରିବ, ଆମେରିକା ପରି । ଶାନ୍ତ ହୋଇକି ବସ, ତୁମ ପରି ଆମେ ଆମ ଦେଶକୁ ବିକ୍ରି କରିବୁ ନାହିଁ ।