ପୁରୀ ମରିଚିକୋଟ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ : କାହିଁକି ଲିଭୁନି ନିଆଁ; କ’ଣ କହିଲେ ଅଗ୍ନିଶମ ଅଧିକାରୀ ?

133

କନକ ବ୍ୟୁରୋ : ଏଯାଏଁ ଲିଭୁନି ପୁରୀ ମରିଚିକୋଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଜୋରଦାର ଉଦ୍ୟମ କରାଯାଉଛି । ଗତକାଲି ରାତି ତମାମ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ବିତିବା ପରେ ବି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ । ଏବେ ପୁରା ପରିବେଶ ଧୂଆଁମୟ ହୋଇ ରହିଛି ।

ତେବେ କାହିଁକି ଲିଭୁନି ନିଆଁ ? ମାର୍କେଟ କମ୍ପେ୍ଲକ୍ସର ତିନି ପଟରେ ପାଚେରୀ ରହିଛି । ସାମ୍ନା ପଟେ ଦୋକାନ ଗୁଡିକର ସଟର ପଡିଥିଲା । ଦୋକାନ ମାଲିକ ଦୋକାନରେ ତାଲା ପକାଇ ପଳାଇଥିଲେ । ଦୋକାନର ସଟର ଖୋଲିବା କଷ୍ଟକର ଥିଲା । ଦୋକାନୀ ମଧ୍ୟ ସଟର ଖୋଲିବା ପାଇଁ ଆସିନଥିଲେ । ନିଆଁ ଲାଗିବା ଫଳରେ ଦୋକାନରେ ଥିବା ସାମଗ୍ରୀ ଜଳିବାରେ ଲାଗିଥିଲା । ପ୍ଲାଷ୍ଟିକ୍, ଜୋତା ଓ କପଡା ସାମଗ୍ରୀ ଥିବାରୁ ଅଧିକ ଜଳିଥିଲା । ପ୍ଲାଷ୍ଟିକ ପାଇପ୍ ବ୍ୟବହାର ହୋଇଥିବାରୁ ନିଆଁ ଦୋକାନରୁ ଦୋକାନ ବ୍ୟାପୁଛି । ତାତି ଅଧିକ ଥିବାରୁ ଭିତରକୁ ଅଗ୍ନିଶମ ଅଧିକାରୀ ଯାଇ ପାରୁ ନହାନ୍ତି । ସବୁଠାରୁ ବଡ କଥା ହେଉଛି ଅଣଓସାରିଆ ପ୍ରବେଶ ପଥ ବାଧକ ସୃଷ୍ଟି କରୁଛି ବୋଲି ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଦାଶ କହିଛନ୍ତି ।

ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନ ଖାଲି କରାଯାଇଛି । ସୁରକ୍ଷା ପାଇଁ ଘଟଣାସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେପଟେ ଶ୍ରୀମନ୍ଦିର ଯିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ଏସପି । ଘଟଣାରେ ଅଚେତ ଅବସ୍ଥାରେ ଦୁଇ ଜଣଙ୍କ ସମେତ ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ମାର୍କେଟ୍ କମ୍ପ୍ଲେକ୍ସ ରେ ଥିବା ପ୍ରଥମ ମହଲାର ଏକ ଦୋକାନରୁ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।