ଲୋକସେବା ଭବନରେ ସାମ୍ବାଦିକଙ୍କୁ ଭେଦଭାବ! ଅଧିକୃତ ସାମ୍ବାଦିକଙ୍କୁ ଅନୁମତି, କାର୍ଯ୍ୟରତ ସାମ୍ବାଦିକଙ୍କୁ କଟକଣା

102

କନକ ବ୍ୟୁରୋ: ଦୀର୍ଘ ୨ ବର୍ଷ ପରେ ଗତ ୧୮ ତାରିଖରେ ଖୋଲିଲା ଲୋକସେବା ଭବନର ଫାଟକ । କିନ୍ତୁ ୱାର୍କିଂ ସାମ୍ବାଦିକଙ୍କୁ ରିପୋର୍ଟିଂ ପାଇଁ ଭିତରକୁ ଛଡାଗଲା ନାହିଁ । କେବଳ ଅଧିକୃତ ସାମ୍ବାଦିକ ଭିତରକୁ ଯାଇପାରିଲେ । ହେଲେ କାର୍ଯ୍ୟରତ ସାମ୍ବାଦିକ ଅର୍ଥାତ୍ ସବୁଦିନ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଭିତରକୁ ଛଡା ଗଲା ନାହିଁ । ସରକାରୀ ତଥ୍ୟ ଅନୁସାରେ ଆକ୍ରିଡେନସନ ବା ଅଧିକୃତ ସାମ୍ବାଦିକଙ୍କ ସଂଖ୍ୟା ପାଖାପାଖି ୧୫୦ ହେବ । ଏହି ଅଧିକୃତ ସାମ୍ବାଦିକଙ୍କ ସଂଖ୍ୟା ଖୁବ କମ୍ ଏବଂ କୌଣସି ବୈଦ୍ୟୁତିକ କିମ୍ବା ଛାପା ଗଣମାଧ୍ୟମରେ ଏମାନେ କମ ସଂଖ୍ୟାରେ ଅଛନ୍ତି । ନିମୟିତ ଭାବେ ସେମାନେ ଲୋକସେବା ଭବନକୁ ରିପୋର୍ଟିଂ ପାଇଁ ମଧ୍ୟ ଆସନ୍ତି ନାହିଁ । ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କାର୍ଯ୍ୟରତ ସାମ୍ବାଦିକଙ୍କୁ ରିପୋର୍ଟିଂ ପାଇଁ କାହିଁକି ଛଡାଯାଉନାହିଁ ।

ଲୋକସେବା ଭବନରେ ସାମ୍ବାଦିକଙ୍କ ପାଇଁ ପୂର୍ବରୁ ପାସ ବ୍ୟବସ୍ଥା ରହିଥିଲା । ଗୃହ, ସୂଚନା ଓ ଲୋକସଂପର୍କ ବିଭାଗ ପ କ୍ଷରୁ ପାସ ଇସ୍ୟୁ କରାଯାଇ ପ୍ରତିବର୍ଷ ଏହାକୁ ନବୀକରଣ କରାଯାଉଥିଲା । ପ୍ରତ୍ୟେକ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର କେଉଁ ରିପୋର୍ଟର ଲୋକସେବା ଭବନକୁ ରିପୋର୍ଟିଂ କରିବାକୁ ଯିବ, ସେହି ଅନୁଷ୍ଠାନର ସଂପାଦକଙ୍କ ସୁପାରିଶ କ୍ରମେ ସାମ୍ବାଦିକଙ୍କୁ ପାସ୍ ଦିଆଯାଉଥିଲା । କିନ୍ତୁ ୨୦୨୦ ପରଠୁ ଏହି ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ସାମ୍ବାଦିକ ସଂଘ, କାର୍ଯ୍ୟରତ ସାମ୍ବାଦିକ ବିରୋଧ କରିଛନ୍ତି ।

ଗଣମାଧ୍ୟମ ହେଉଛି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ । ସରକାରଙ୍କ ଯୋଜନା, ନୀତି. ନିଷ୍ପତି, ଲୋକଙ୍କ ପାଖରେ ପହଂଚାଇବା ହେଉଛି ଗଣମାଧ୍ୟମର କାମ । ତେଣୁ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନ ନଛାଡି କେଉଁ ବାର୍ତା ଦେବାକୁ ଚାହୁଁଛନ୍ତି ସରକାର ।