ଦୁବାଇ ପରେ ସିଙ୍ଗାପୁର । ଭୁବନେଶ୍ୱରରୁ ସିଧାସଳଖ ଉଡିବ ବିମାନ ।

431

କନକ ବ୍ୟୁରୋ: ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ବିକଶିତ, ସିଙ୍ଗାପୁର ସହ ଓଡିଶାର ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ କରିବ । ଯାହା ଫଳରେ ଓଡିଶାବାସୀ ସିଧାସଳଖ ସିଙ୍ଗାପୁରକୁ ଯାଇ, ସେହି ଦେଶ କେମିତି ଏତେ ବିକଶିତ ହୋଇଛି ଜାଣିବାର ସୁଯୋଗ ପାଇବେ ।

  • ଦୁବାଇ ପରେ ସିଙ୍ଗାପୁର
  • ଭୁବନେଶ୍ୱରରୁ ସିଧାସଳଖ ଉଡିବ ବିମାନ

ଦୁବାଇ ପରେ ସିଙ୍ଗାପୁର ସହ ସମ୍ପର୍କକୁ ମଜଭୁତ କରିବା ଯାଉଛନ୍ତି ରାଜ୍ୟ ସରକାର । କିଛି ଦିନ ତଳେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବା ପରେ, ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଉଡିବ । ସିଧାସଳଖ ବିମାନ ଚଳାଚଳ କରିବା ଦ୍ୱାରା ଓଡିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗ ବଢ଼ିବା ସହ ଜ୍ଞାନକୌଶଳର ଆଦାନ ପ୍ରଦାନ ହେବ, ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୪ ଦିନ ଆଗରୁ ସିଙ୍ଗାପୁର ଗସ୍ତରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଙ୍ଗାପୁରର ଶିକ୍ଷାମନ୍ତ୍ରୀଙ୍କ ସହ ବିଭିନ୍ନ ଶିକ୍ଷା ଓ ଦକ୍ଷତା ବିକାଶ ଭଳି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ପରସ୍ପରର ସହଯୋଗକୁ କିପରି ଆହୁରି ବୃଦ୍ଧି କରାଯାଇପାରିବ, ସେ ନେଇ ଆଲୋଚନା କରିଥିଲେ ।

ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡିଥିଲା । ବିମାନରେ ଏସଏଚଜି ମହିଳାଙ୍କ ସମେତ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବହୁ ବରିଷ୍ଠ ଅଧିକାରୀ ଦୁବାଇ ଯାଇଥିଲେ । ସେଠାରେ ଓଡି଼ଆ ସମାଜ ପକ୍ଷରୁ ଓଡିଶା ଉତ୍ସବର ଆୟୋଜନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ପ୍ରବାସୀ ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିିଲେ ।

ସିଙ୍ଗାପୁରରେ ମଧ୍ୟ ଦୁବାଇ ଭଳି ପ୍ରବାସୀ ଓଡିଆଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସିଙ୍ଗାପୁରରେ ରହୁଥିବା ପ୍ରାୟ ୨୨ ହଜାର ପ୍ରବାସୀ ଓଡିଆଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।