ମୋଦି ବୁଝିଲେନି ଦିଲ୍ଲୀପଙ୍କ କଥା

35

କନକ ବ୍ୟୁରୋ : ବିଧାୟକଙ୍କ କଥା ଶୁଣୁନାହାନ୍ତି ଅଧିକାରୀ । ଆଇଜିଏଚର ଉନ୍ନତି ନେଇ ମୋଦି ପ୍ରତିଶ୍ରୁତି ଦେଇଥିଲେ, ଘୋଷଣା ବି କରିଥିଲେ, ହେଲେ ୧୪ ମାସ ବିତିଥିଲେ ବି କାର୍ଯ୍ୟକାରୀ ହେଉନି । ଯାହାକୁ ନେଇ ଦିଲ୍ଲୀପ କରିଛନ୍ତି ବିଦ୍ରୋହ । ବିଜେପିର ବିକାଶ ଉତ୍ସବରେ ସାମିଲ ହେବେନି ରାଉରକେଲାର ଏହି ବିଧାୟକ । ୬ ତାରିଖରେ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଉରକେଲାରେ ବିକାଶର କଥା କହିବାକୁ ଆସୁଥିବା ବେଳେ ରୂଷିଛନ୍ତି ଦିଲ୍ଲୀପ । ସିଧା ଶୁଣାଇ ଦେଇଛନ୍ତି, ଏହି କାର୍ଯ୍ୟକ୍ରମରେ ସାମିଲ ହେବେନି । ଯାହା ବିଜେପିର ରାଜ୍ୟ ସ୍ତରୀୟ ଶୀର୍ଷ ନେତାଙ୍କ ଅକଲ ଗୁଡୁମ କରିଦେଇଛି । ମାନଭଂଜନ ପାଇଁ ତୁରନ୍ତ ଆରମ୍ଭ ହୋଇଯାଇଛି ଉଦ୍ୟମ । ହେଲେ ଚର୍ଚ୍ଚା ହେଉଛି, ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ ପତିଆରାର ଲଢେଇରେ ପଛରେ ପଡୁଥିବା ଦିଲ୍ଲୀପ ଛାଡିଛନ୍ତି ବ୍ରହ୍ମାସ୍ତ୍ର । ଢାଲ ଆଇଜିଏଚର ଉନ୍ନତି, ହେଲେ ଟାର୍ଗେଟରେ ବିଜେପିର ଶୀର୍ଷସ୍ତରୀୟ କରିତକର୍ମା ନେତା ।

ଗତବର୍ଷ ଏପ୍ରିଲ ୧ରେ ରାଉରକେଲା ସମାବେଶରେ ମୋଦି ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ଦେଇଥିଲେ ପ୍ରତିଶ୍ରୁତି । ଏହାରି ଭିତରେ ବିତିଲାଣି ୧୪ ମାସ । ପ୍ରତିଶ୍ରୁତି ପୂରଣ ଦିଗରେ ଆନ୍ତରିକତା କମ ଥିବାରୁ ଦିଲ୍ଲୀପ ରାୟ ମୁହଁ ଖୋଲିଛନ୍ତି ।

ବିକାଶ ଉତ୍ସବରେ ବିକାଶକୁ ଆୟୁଧ କରି ଲୋକଙ୍କ ନିକଟତର ହେବାକୁ ବିଜେପି ପ୍ରୟାସ ଜାରି ରଖିଥିବା ବେଳେ ଦିଲ୍ଲୀପ ଦେଇଛନ୍ତି ୪୪୦ ଭୋଲଟର ଝଟକା । ରାଉରକେଲାରେ ଆସନ୍ତା ୬ ତାରିଖରେ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କେନ୍ଦ୍ରର ରିପୋର୍ଟ କାର୍ଡ ଦେବାକୁ କରିବେ ସମାବେଶ । ହେଲେ ଏହି ସମାବେଶରେ ସ୍ଥାନୀୟ ବିଧାୟକ ସାମିଲ ନ’ହେବାକୁ ଘୋଷଣା କରିବା ବିଜେପିକୁ ଅଡୁଆରେ ପକାଇଛି । ଏହାରି ଭିତରେ ଦିଲ୍ଲୀପଙ୍କ ମାନ ଭଂଜନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

କୁହାଯାଉଛି, ଦିଲ୍ଲୀପ ରାୟଙ୍କ ପରୋକ୍ଷ ନିଶାନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଜଗମୋହନ ପ୍ରସଙ୍ଗ ହେଉ ଅବା ଚାଉଳ ଗହମ ବିବାଦ । ଏସବୁର ତୁରନ୍ତ ସମାଧାନ ହେଉଥିବା ବେଳେ ଆଇଜିଏଚ ବାବଦରେ ନିଷ୍କ୍ରିୟତା ଦିଲ୍ଲୀପଙ୍କୁ ଅଡୁଆରେ ପକାଉଥିଲା । ଏପରିକି ମୋଦିଙ୍କ ବାଲେଶ୍ୱର ସଭାରେ ଦିଲ୍ଲୀପ ପିକଚରରେ ବି ନଥିଲେ । ଯାହା ସ୍ପଷ୍ଟ ଦର୍ଶାଉଥିଲା ପତିଆରାର ଲଢେଇରେ ପଛରେ ପଡୁଛନ୍ତି ଏହି ପୁରୁଖା ନେତା । ଆଉ ଏହାରି ଭିତରେ ତାଙ୍କ ଗୁଗଲି କିଭଳି କାମ ଦେଉଛି, ତା ଉପରେ ନଜର ।