ଦିନକୁ ଦିନ ରୋଚକ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରାଜନୀତି । ରେସରେ ସାମିଲ ହେଲେ ଦିଗବିଜୟ ସିଂହ ।

99

କନକ ବ୍ୟୁରୋ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦିନକୁ ଦିନ ଅଧିକ ରୋଚକ ହେଉଛି ରାଜନୀତି । କିଏ କଂଗ୍ରେସର ନୂଆ ଅଧ୍ୟକ୍ଷ ହେବ? କିଏ କିଏ ଏହି ନିର୍ବାଚନ ଲଢିବେ? ତାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ଆସିପାରୁନି, ଏପଟେ ରାଜସ୍ଥାନ ରାଜନୀତି ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଉପରେ ବଡ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି । ହେଲେ ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ନୂଆ ନାଁ ସାମିଲ ହେଇଛି । ମିଳିଥିବା ସୂଚନା ମୁତାବକ, ଏବେ ଗେହଲଟ ଓ ଥରୁରଙ୍କ ସହିତ ଅଧ୍ୟକ୍ଷ ପାଇଁ ରେସରେ ସାମିଲ ହେଇପାରନ୍ତି ମଧ୍ୟପ୍ରଦେଶର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସୀ ନେତା ଦିଗବିଜୟ ସିଂହ ।

କଂଗ୍ରେସ ମୁଖିଆ ରେସରେ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସାଂସଦ ଶଶୀ ଥରୁର ଅଛନ୍ତି । ହେଲେ ରାଜସ୍ଥାନରେ ରାଜନୈତିକ ହଲଚଲ କାରଣରୁ ଗେହଲଟ ନିର୍ବାଚନ ଲଢିବେ କି ନାହିଁ ତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି । ଅନ୍ୟପଟେ ଥରୁର ନିର୍ବାଚନ ଲଢିବା କଥା ପକ୍କା ହୋଇସାରିଛି । ଏବଂ ଆସନ୍ତା ୩୦ ତାରିଖରେ ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ।

ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ । ମଝିରେ ଆଉ ଗୋଟିଏ ଦିନ ଥିବାବେଳେ, ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ରିଟଣ୍ଣିଂ ଅଫିସର ମଧୁସୂଦନ ମିସ୍ତ୍ରୀ ଦିଲ୍ଲୀରେ ରହିବେନି । ତେଣୁ ଯେଉଁ ନେତା ବି ଅଧ୍ୟକ୍ଷ ନିର୍ବାଚନ ଲଢିବେ, ସେ ଶେଷ ଦିନରେ ହିଁ ନାମାଙ୍କନ ଦାଖଲ କରିବେ । ତେଣୁ ଏହି ଦିନ ହିଁ କିଏ କିଏ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ ହେଇଯିବ ।

ଥରୁର, ଗେହଲଟ ଓ ଦିଗବିଜୟଙ୍କ ସହିତ ଅନ୍ୟ କିଛି ନାଁ ମଧ୍ୟ ଏହି ରେସରେ ଅଛି । ମୁକୁଲ ବାସନିକଙ୍କ ସହିତ ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳଙ୍କ ଭଳି ନେତା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏ ଚର୍ଚ୍ଚାରେ କେତେ ସତ୍ୟତା ଅଛି ତା ସ୍ପଷ୍ଟ ହେଇପାରିିନି ।

ଦିଗବିଜୟଙ୍କ କଥା କହିବାକୁ ଗଲେ, ତାଙ୍କ ପାଖରେ ଦୀର୍ଘଦିନର ସାଙ୍ଗଠନିକ ଦକ୍ଷତା ରହିବା ସହିତ ଅଭିଜ୍ଞତା ମଧ୍ୟ ରହିଛି । ସେ ମଧ୍ୟପ୍ରଦେଶର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କୁ ଗାନ୍ଧୀ ପରିବାରର ଘନିଷ୍ଠ ବୋଲି ମଧ୍ୟ ଧରାଯାଏ । ତେଣୁ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା କଥାକୁ କେହି ଅସ୍ୱୀକାର ମଧ୍ୟ କରିପାରୁନାହାଁନ୍ତି ।