ଚୀନ୍ ବିରୁଦ୍ଧରେ ଭାରତୀୟ ସେନା ସପକ୍ଷରେ ନାଗରିକ : “ଡ଼ିଜିଟାଲ୍ ଯୁଦ୍ଧ” ମାଧ୍ୟମରେ ଚୀନକୁ ଚୁରମାର୍ କରିବାକୁ ଲକ୍ଷ୍ୟ । ଗୁଗଲରେ ଚାଲିଲା ଚାଇନା ଆପ୍ ରିମୁଭର ଶବ୍ଦର ଟ୍ରେଣ୍ଡ୍

1,498

ଭାରତ-ଚୀନ୍ ବିବାଦ ଭିତରେ ସୀମାରେ ସଂଘର୍ଷ ଚାଲିଥିଲା ବେଳେ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଯୁଦ୍ଧ ଚାଲିଛି । ଆଉ ଏହି ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ସାଧାରଣ ନାଗରିକ । ସାରା ଦେଶରେ ଚାଇନିଜ୍ ଆପକୁ ବିରୋଧ କରି ଲୋକମାନେ ନିଜ ଆକ୍ରୋଶ ଜାହିର କରୁଛନ୍ତି । ବର୍ତ୍ତମାନ ଗୁଗଲର ଟ୍ରେଣ୍ଡରେ ଚାଇନିଜ୍ ଆପ୍ ରିମୁଭର୍ ଶବ୍ଦକୁ ଅଧିକଥର ସର୍ଚ୍ଚ କରାଯାଉଛି । ଚୀନ୍ ସେନାର ଆକ୍ରମଣ ପରେ ଏହି ଶବ୍ଦଟି ଗୁଗଲରେ ପାଖାପାଖି ୧୦୦ ଥର ଖୋଜାଯାଇଛି ।

ଗଲବାନ୍ ଘାଟି ମାମଲା ପରେ ସାମାଜିକ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକ୍ ଭାରତୀୟ ନାଗରିକଙ୍କୁ “ବୁଲେଟ୍ ନୁହଁ ୱାଲେଟ୍” ର ମନ୍ତ୍ର ଶିଖାଇଥିଲେ । ଚାଇନିଜ୍ ଗ୍ୟାଜେଟକୁ ବର୍ଷେ ଭିତରେ ଏବଂ ଆପକୁ ସପ୍ତାହେ ଭିତରେ ଫୋନରୁ ଡିଲିଟ୍ କରିବାକୁ ସେ ନେହୁରା ହୋଇଥିଲେ । ତାଙ୍କର ଗୋଟିଏ ଭିଡିଓରେ ପ୍ରଭାବିତ ହୋଇ ଭାରତୀୟ ଜନତା ମୋବାଇଲରୁ ଚାଇନା ଆପ୍ କୁ ହଟାଇଥିଲେ । ଖାଲି ଏତିକି ନୁହଁ ଏହାକୁ ନେଇ ଏକ ଡିଜିଟାଲ୍ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଗଲା । ଏହି ସମୟରେ ପ୍ଲେଷ୍ଟୋରକୁ ଆସିଥିବା “ରିମୁଭ୍ ଚାଇନା ଆପ୍ସ” ବି ଖୁବ୍ ଲୋକପ୍ରିୟ ହେଲା । ୨ ରୁ ୩ ଦିନ ଭିତରେ ଏହି ଆପ୍ ଜରିଆରେ ଜଡିତ ହୋଇ ଲକ୍ଷ ଲକ୍ଷ ଲୋକ ନିଜ ଫୋନରୁ ଚୀନି ଆପକୁ ହଟାଇଥିଲେ । ତେବେ ଗୁଗଲ୍ କୌଣସି କାରଣରୁ ଏହି ଆପକୁ ପ୍ଲେଷ୍ଟୋରରୁ ହଟାଇଥିଲେ ହେଁ ଏବେବି ଲୋକମାନେ ଭିନ୍ନ ତରିକାରେ ଚାଇନା ଆପକୁ ହଟାଇବାରେ ଲାଗିପଡିଛନ୍ତି । ଗୁଗଲ୍ ଷ୍ଟଡିରୁ ଜଣାପଡିଛି ଯେ ଉତ୍ତରାଖଣ୍ଡରୁ ଏହି ଆପକୁ ଅଧିକ ଲୋକ ସର୍ଚ୍ଚ କରିଛନ୍ତି । ୯୦ ଲକ୍ଷରୁ ଅଧିକ ଲୋକ ଏହି ଶବ୍ଦର ପ୍ରୟୋଗ ଗୁଗଲରେ କରିଛନ୍ତି ।

ଜୁମ୍ ଆପର ବ୍ୟବହାରକୁ ନେଇ ସତର୍କ କରାଇଛନ୍ତି ସରକାର :

ଲକଡ଼ାଉନ୍ ସମୟରେ ମିଟିଂ କରିବା ତଥା ଗ୍ରୁପରେ କଥାବାର୍ତ୍ତା କରିବା ପାଇଁ ଜୁମ୍ ଆପର ବ୍ୟବହାର କରାଯାଇଛି । ତେବେ ଏହି ଜୁମ୍ ଆପ୍ ମଧ୍ୟ ଏକ ଚାଇନିଜ୍ ଆପ୍ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ଆପକୁ ନେଇ ଆଡ଼ଭାଇଜରୀ ଜାରୀ କରାଯାଇଥିଲା । ଟିକଟକ୍ , ହାଲୋ , ୟୁସି ବ୍ରାଉଜର୍ , ସେୟାର୍ ଇଟ୍ , ଲାଇକି,୩୬୦ ସିକ୍ୟୁରିଟି, ୱିଗୋ ଭିଡିଓ , ୱି ଚାଟ୍ , ଭିଭୋ , କ୍ଲବ୍ ଫ୍ୟାକ୍ଟରୀ,ସେଣ୍ଡର୍ ତଥା ବ୍ୟୁଟି ପ୍ଲସ୍ ଭଳି ଆପ୍ ହେଉଛି ପ୍ରମୁଖ ଚାଇନା ଆପ୍ ।