‘ରୋଜଗାର ପାଇଁ ପନ୍ଥା ଦିଅ ନଚେତ୍ ଇଚ୍ଛାମୃତ୍ୟୁ ପ୍ରଦାନ କର’: ସରକାରୀ ସୁବିଧାରୁ ବଂଚିତ ହେବା ପରେ ଇଚ୍ଛାମୃତ୍ୟୁ ପାଇଁ ଦିବ୍ୟାଙ୍ଗ ଯୁବକଙ୍କ ଦାବୀ

816

କନକ ବ୍ୟୁରୋ: ଦିବ୍ୟାଙ୍ଗ ଯୁବକଙ୍କ ଇଚ୍ଛାମୃତ୍ୟୁ ଦାବୀ। ରୋଜଗାର ପାଇଁ ପନ୍ଥା ଦିଅ ନଚେତ୍ ଇଚ୍ଛା ମୃତ୍ୟୁ ପ୍ରଦାନ କରନ୍ତୁ ପ୍ରଶାସନ । ଏମିତି କିଛି ଦାବୀ କରିଛନ୍ତି ଭଦ୍ରକ ଉରମ ରଥପଡ଼ା ଗାଁର ଦିବ୍ୟାଙ୍ଗ ମେଧାବୀ ଛାତ୍ର ଉମାକାନ୍ତ ।

ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗ ଓ ମେଧାବୀ ଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ଏଥିରୁ ବଂଚିତ ଅଛନ୍ତି ଉମାକାନ୍ତ । ସରକାରୀ ଚାକିରୀ ଓ ସରକାରୀ ସୁବିଧାକୁ ଆଶା କରି ନିରାଶ ହେବା ପରେ ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ତାଙ୍କର ଦୁଃଖ ଜଣାଇଛନ୍ତି । ଉମାକାନ୍ତ ଜଣେ ଉଚ୍ଚ ଶିକ୍ଷିତ ଓ ଦିବ୍ୟାଙ୍ଗ ହୋଇଥିବାରୁ ଲୋକଙ୍କ ନିନ୍ଦା ଅପବାଦ ସହିନପାରି ଏପରି ଚରମ ନିସ୍ପତି ନେଇଥିବା ଜିଲ୍ଲାପାଳଙ୍କୁ ଟୁଇଟ କରି ଜଣାଇଥିଲେ ।

ସେପଟେ ଭୋକ ଉପାସରେ ଦିନ କାଟୁଥିବା ଉମାକାନ୍ତଙ୍କ ବାପା ମା’ ତାଙ୍କର ଏଭଳି ଚରମ ନିଷ୍ପତ୍ତିରେ ଭାଙ୍ଗିପଡ଼ିଛନ୍ତି । ଉମାକାନ୍ତଙ୍କ ଟୁଇଟ ଦେଖିବା ପରେ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ଘଟଣା ବିଷୟରେ ଜାଣିବା ପରେ ଉମାକାନ୍ତଙ୍କୁ ସରକାରୀ ଭତା ଓ ସରକାରୀ ବ୍ୟବସ୍ଥା ଅନୁଯାୟୀ କର୍ମ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।