ଦିଲ୍ଲୀ ଆସି ମୋଦୀଙ୍କୁ ଭେଟିଲେ ମମତା । ହେଲେ ବିରୋଧୀ ନେତାଙ୍କୁ ଦେଖାକଲେନି ଦିଦି । ଇଡି ଭୟରେ ମୁଣ୍ଡ ନୁଆଁଇଲେ କି ମମତା?

226

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବିରୋଧୀ ମମତା ବାନାର୍ଜୀ । ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟିକା ଟିପ୍ପଣୀ କରୁଥିବା ଦୁଇ ନେତା ପ୍ରଥମେ ପରସ୍ପରକୁ ସାକ୍ଷାତ କରିଥିଲେ । ଏହାପରେ ରବିବାର ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଯଦିଓ ଅସୁସ୍ଥତା କଥା କହି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର,ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କେନ୍ଦ୍ର ନୀତିକୁ ବିରୋଧ କରି ଏହି ବୈଠକରେ ଯୋଗ ଦେଇନଥିଲେ ହେଲେ ପୂର୍ବରୁ କେନ୍ଦ୍ର ବିରୋଧୀ ନାରା ଦେଇ ବୈଠକରେ ସାମିଲ ହେଉନଥିବା ମମତା କିନ୍ତୁ ଏଥର ଯୋଗ ଦେଇଥିଲେ । ନୀତି ଆୟୋଗ ବୈଠକରେ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ସମୟରେ କିନ୍ତୁ ମମତା ନିରବ ରହି ଶୁଣୁଥିବା ଦେଖିବାକୁ ମିଳିଥିଲା । ସେହିପରି ଦିଲ୍ଲୀ ଗସ୍ତ ବେଳେ ବିରୋଧୀ ନେତାଙ୍କୁ ଭେଟୁଥିବା ମମତା କିନ୍ତୁ ଏଥର କୌଣସି ଦଳର ନେତାଙ୍କୁ ନଭେଟି କୋଲକାତା ଫେରିଆସିଛନ୍ତି ।

ପ୍ରତିବର୍ଷ ବସୁଥିବା ନୀତି ଆୟୋଗ ବୈଠକ କରୋନା ପାଇଁ ଦୁଇ ବର୍ଷ ହେବ ବନ୍ଦ ରହିଥିଲା । ୨୦୧୯ରେ ବସିଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ ମମତା ବାନାର୍ଜୀ । ଏହି ସମୟରେ ସେ ନୀତି ଆୟୋଗର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ ।

  • ଇଡି ଭୟରେ ମୁଣ୍ଡ ନୁଆଁଇଲେ କି ମମତା?
  • ବଦଳିଗଲା କି ମମତାଙ୍କ ସ୍ୱର?

ମମତା ମୋଦୀଙ୍କ ସହ ବୈଠକ କରି କୋଲକାତା ଫେରିବା ପରେ ଏବେ ଏଭଳି କିଛି ଆଲୋଚନା ହେଉଛି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘୋଟାଲାରେ ଅନେକ ଟିଏମସି ନେତା ସାମିଲ ଥିବା କୁହାଯାଉଛି । ରାଷ୍ଟ୍ରପତି ନିର୍ବାଚନ ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ମମତା ପ୍ରଶଂସା କରିଥିଲେ ଓ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଦୂରେଇ ରହିଥିଲା । ସେହିପରି ଦୁର୍ନୀତି ମାମଲରେ ଇଡିର ତଦନ୍ତରେ କିଛି ନୂଆ ଖୁଲାସା ନହେବା ଏବଂ ମମତା ବାନାର୍ଜୀ ଦିଲ୍ଲୀରେ ଆସି ମୋଦୀଙ୍କୁ ଭେଟିବା ଅନେକ କିଛି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ୨୦୧୪ ପରଠୁ ମୋଦୀଙ୍କ ସାମ୍ନାରେ କଂଗ୍ରେସ ଯଦିଓ ଦୁର୍ବଳ ହୋଇଛି କିନ୍ତୁ ଆଞ୍ଚଳିକ ଦଳ ମଧ୍ୟରେ ଟିଏମସି ସବୁବେଳେ କେନ୍ଦ୍ରକୁ ସମାଲୋଚନା କରି ଆସିଛି । ଯାହାକି ବିଜେପି ପାଇଁ ସବୁବେଳେ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଏବେ ମମତାଙ୍କ ଏପରି ଆଚରଣ ବିଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।