କାଶିପୁରରେ ବ୍ୟାପୁଛି ଝାଡ଼ାବାନ୍ତି: ନେଲାଣି ୭ ଜଣଙ୍କ ଜୀବନ, ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ

99

କନକ ବ୍ୟୁରୋ: ରାୟଗଡା ଜିଲ୍ଲା କାଶୀପୁରର ଝାଡାବାନ୍ତି ଆକ୍ରାନ୍ତ । ଗୁରୁବାର ଦୁଇ ଜଣ, ଶୁକ୍ରବାର ୩ ଜଣ ଝାଡାବାନ୍ତିର ଶିକାର ହୋଇ ପ୍ରାଣ ହରାଇବା ପରେ ଶନିବାର ସକାଳେ ମଧ୍ୟ ଜଣେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏବେ ସ୍ୱାସ୍ଥ୍ୟ ଅଧିକାରୀ ଗାଁ ଗାଁ ବୁଲି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଏଥିସହ ଲୋକଙ୍କ ସହ କଥା ହୋଇ କେଉଁ କାରଣ ପାଇଁ ହଠାତ ଝାଡାବାନ୍ତି ବ୍ୟାପିଲା ତାର ଅନୁଧ୍ୟାନ କରୁଛନ୍ତି । ଉପୁଜିଥିବା ସ୍ଥିତିର ମୁକାବିଲା କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ଉଷୁମ ଖାଦ୍ୟ ଓ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ କହିବା କଥା ଅସ୍ୱାସ୍ଥ୍ୟକର ପାଣି ପାଇଁ ଏପରି ପରିସ୍ଥିତି ଉପୁଜିଛି ।

କାଶୀପୁରରେ ଲୋକଙ୍କ ମୃତ୍ୟୁ ଘଟଣା ବିଧାନସଭାରେ ଉଠିଛି । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ବାଳକ ମଧ୍ୟ ରହିଛିି । ୧୪ରୁ ଅଧିକ ଆକ୍ରାନ୍ତ ଏବେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ଜଣ ଗୁରୁତରକୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏହି ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକ ହଟଗୋଳ କରିଥିଲେ । ଶେଷରେ ବାଚସ୍ପତି ରୁଲିଂ ଦେଇଥିଲେ ଆସନ୍ତା ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହାର ବିବୃତି ରଖିବେ ।

ଅନ୍ୟପଟେ ଉକ୍ରଳ ଆଲୁମିନା ହସ୍ପିଟାଲକୁ ଡାଇରିଆ ରୋଗୀଙ୍କୁ ଅଣାଯାଇ ଚିକିତ୍ସା କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଏ ଘଟଣାରେ ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ।