କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିସି ମୋଡରେ କାର୍ଯ୍ୟକ୍ଷମ ହୋଇଛି ଏକ ଡାଏଲିସିସ୍ କେନ୍ଦ୍ର । ତେବେ ଏହାକୁ ମିଶାଇ ଚଳିତ ୨୦୧୮- ୧୯ ଆର୍ଥିକ ବର୍ଷରେ ମୋଟ୍ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି ଏବଂ ଖୁବ୍ ଶୀଘ୍ର ଆଉ ୭ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ୧୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ନୂତନ କରି ଆରମ୍ଭ କରାଯାଇଥିବା ଡାଏଲିସିସ କେନ୍ଦ୍ର ମଧ୍ୟରେ କ୍ୟାପିଟାଲ ହସପିଟାଲ ସମେତ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ, ପୁରୀ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି , ନୂଆପଡା, କେନ୍ଦୁଝର, କୋରାପୁଟ, ରାୟଗଡା, ସୁନ୍ଦରଗଡ ଏବଂ ଝାରୟୁଗୁଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଭୁକ୍ତ । ଏହି କେନ୍ଦ୍ରଗୁଡିକ ପିପିପି ମୋଟରେ କାର୍ଯ୍ୟ କରୁଛି ଏବଂ ବିନା ମୂଲ୍ୟରେ ରୋଗୀ ଚିହ୍ନଟ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସହ ମାଗଣା ଡାଏଲିସିସ୍ ସୁବିଧା ଉପଲବ୍ଧ କରାଯାଇଛି ।
ତେବେ ଉପରୋକ୍ତ ସମସ୍ତ କେନ୍ଦ୍ରରେ ଚଳିତ ବର୍ଷ ଏପର୍ଯ୍ୟନ୍ତ କିଡନୀ ଜନିତ ରୋଗୀଙ୍କର ମୋଟ ୨୮୬୬୫ ଥର ମାଗଣାରେ ଡାଏଲିସିସ୍ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।