ପ୍ରଶଂସକଙ୍କୁ ସରପ୍ରାଇଜ ଦେବେ କି ଧୋନୀ? ପୂର୍ବରୁ ରିଜର୍ଭ ଡେ’ରେ ମ୍ୟାଚ୍ ଖେଳିବା ପରେ ନେଇଥିଲେ ବଡ ନିଷ୍ପତ୍ତି ।

708

କନକ ବ୍ୟୁରୋ : ବର୍ଷା କାରଣରୁ ଆଇପିଏଲ ଫାଇନାଲ ମୁକାବିଲା ରିଜର୍ଭ ଡେ ଅଥାର୍ତ ଆଜି ଖେଳାଯିବ । ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ବର୍ଷା କାରଣରୁ ୨୮ ତାରିଖରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଟସ୍ ମଧ୍ୟ ପଡି ପାରିନଥିଲା । ତେଣୁ ଆଜି ରିଜର୍ଭ ଡେ’ରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏହାସହ ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଫାଇନାଲ ମୁକାବିଲା ରିଜର୍ଭ ଡେରେ ଖେଳାଯିବ । ତେବେ ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ଯେତିକି ଉତ୍କଣ୍ଠା, ଚେନ୍ନାଇ ଅଧିନାୟକ ଧୋନୀଙ୍କୁ ନେଇ କ୍ରିକେଟପ୍ରେମୀଙ୍କ ଭିତରେ ସେତିକି ଚର୍ଚ୍ଚା ।

ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ରିଜର୍ଭ ଡେ ସହ ଅନେକ ସ୍ମୃତି ଜଡିତ ରହିଛି । ଧୋନୀ ଏହାପୂର୍ବରୁ ଯେତେବେଳେ  ରିଜର୍ଭ ଡେରେ ମ୍ୟାଚ୍ ଖେଳିଥିଲେ ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ତେଣୁ ପୁଣିଥରେ ଧୋନୀଙ୍କୁ ନେଇ ଏବେ ଚର୍ଚ୍ଚା ବଢିବା ଆରମ୍ଭ ହୋଇଛି । ଆଇପିଏଲର ଫାଇନାଲ ମୁକାବିଲା ଧୋନୀଙ୍କର ଶେଷ ମ୍ୟାଚ୍ ନୁହେଁ ତ? ଆଇପିଏଲରେ ଶେଷଥର ପାଇଁ ଧୋନୀ ଆଜି ମୈଦାନକୁ ଓହ୍ଲାଇବେ କି? ଏଭଳି ଆଶଙ୍କା କ୍ରିକେଟପ୍ରେମୀଙ୍କ ମନରେ ଉଙ୍କି ମାରିଛି ।

୨୦୧୯ ଦିନିକିଆ ବିଶ୍ୱକପର ସେମିଫାଇନାଲ ମୁକାବିଲା ମଧ୍ୟ ବର୍ଷା ପାଇଁ ରିଜର୍ଭ ଡେରେ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ଭାରତ ପରାଜିତ ହୋଇଥିଲା । ଆଉ ଏହି ମ୍ୟାଚ୍ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା । ଏହି ମ୍ୟାଚ୍ ପରେ ଧୋନୀଙ୍କୁ ଆଉ ଅନ୍ତର୍ଜାତୀୟ ମ୍ୟାଚରେ ଦେଖିବାକୁ ମିଳିନଥିଲା । ୨୦୨୦ ଅଗଷ୍ଟରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।  ତେଣୁ ଆଜି ମଧ୍ୟ ରିଜର୍ଭ ଡେ’ରେ ମ୍ୟାଚ୍ ଖେଳାଯାଉଥିବାରୁ ଧୋନୀ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ  ଆଇପିଏଲରୁ ଅବସର ପ୍ରସଙ୍ଗରେ ଯେତେବେଳେ ବି ପ୍ରଶ୍ନ ହୋଇଛି ଧୋନୀଙ୍କ ଉତ୍ତର ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ରଖିଛି । ଚଳିତ ଆଇପିଏଲରେ ମଧ୍ୟ ନିଜ ଅବସର ନେଇ ସମାନ ଢଙ୍ଗରେ ଉତ୍ତର ଦେଇ ସାରିଛନ୍ତି ଧୋନୀ । ଚେନ୍ନାଇର ଅଧିନାୟକ କହିଛନ୍ତି, କଣ ନିଷ୍ପତ୍ତି ନେବି ଜଣା ନାହିଁ । କିନ୍ତୁ ହାତରେ ୮ରୁ ୯ ମାସ ସମୟ ଅଛି ନିଷ୍ପତ୍ତି ନେବା ପାଇଁ ତେଣୁ ଏବେଠାରୁ କାହିଁକି ଚିନ୍ତା କରିବି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବି । ଆସନ୍ତା ଡିସେମ୍ବରରେ ନିଲାମ ଅଛି । ଏଭଳି କହି ଧୋନୀ ଆଇପିଏଲରୁ ଏବେ ଅବସର ନେଉନଥିବା ନେଇ ସଂକେତ ଦେଇ ସାରିଛନ୍ତି ।

ତେବେ ଧୋନୀଙ୍କ ଅବସର ପ୍ରସଙ୍ଗରେ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ କହିଛନ୍ତି,  ଧୋନୀ ଆଇପିଏଲରେ ୧୫ ବର୍ଷ ଖେଳି ସାରିଲେଣି । ତାଙ୍କ ଠାରୁ ଆଉ ଅଧିକ କଣ ବା ଆଶା କରାଯାଇପାରେ । ସେ କଣ ପୂରା ଜୀବନ କ୍ରିକେଟ ଖେଳିଥାନ୍ତେ କି?ସେଭଳି କିଛି ବି ହେବନି । ବରଂ ୧୫ ବର୍ଷ ହେବ ଖେଳୁଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେବା କଥା । ସେ ଆଗାମୀ ବର୍ଷ ଖେଳିବେ କି ନାହିଁ ତାହା ଜଣାନାହିଁ, କିନ୍ତୁ ନିଜ ଆଇପିଏଲ କ୍ୟାରିୟରରେ ଦମଦାର ପ୍ରଦର୍ଶନ କରିଛନ୍ତି ଧୋନୀ । ଚଳିତ ଆଇପିଏଲରେ ଧୋନୀ ବଡ ସ୍କୋର କରିନାହାନ୍ତି ସତ କିନ୍ତୁ ଅଧିନାୟକ ଭାବେ ଟିମକୁ ଫାଇନାଲକୁ ନେବା ସବୁଠୁ ବଡ ଉପଲବ୍ଧି ।