ଢେଙ୍କାନାଳ ଭୂବନକୁ ବ୍ରାହ୍ମଣୀ ଭୟ: କୂଳ ଖାଉଛି ନଦୀ, ବନ୍ଧରୁ ଧସୁଛି ବିରାଟ ବିରାଟ ମାଟି ଅତଡା

ବ୍ରାହ୍ମଣୀ ଗର୍ଭରେ ଚାଷ ଜମି ଲୀନ ହେବା ଆଶଙ୍କାରେ ଚାଷୀ

155

କନକ ବ୍ୟୁରୋ: ଢେଙ୍କାନାଳ ଭୂବନର ଚାଷୀଙ୍କୁ ଡରାଉଛି ବ୍ରାହ୍ମଣୀ । ନଦୀ କୂଳ ଖାଉଥିବାରୁ ବନ୍ଧରୁ ଧସୁଛି ବିରାଟ ବିରାଟ ମାଟି ଅତଡା । ଫଳରେ ନଦୀ ଗର୍ଭରେ ଚାଷ ଜମି ଲୀନ ହେବା ଆଶଙ୍କାରେ ସୃଷ୍ଟି ହୋଇଛି ।

ନଈ ବନ୍ଧରୁ ଧସୁଛି ଅତଡା । କୂଳ ଖାଉଛି ବ୍ରହ୍ମଣୀ । ଏହାରି ଭିତରେ ଦେଢଶହ ଏକର ଚାଷ ଜମି ଗିଳି ସାରିଛି ବ୍ରାହ୍ମଣୀ ନଦୀ । ଏବେ ପୁଣି ଅତଡା ଧସିବାରୁ ଆତଙ୍କିତ ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଚଣ୍ଡିପାଳ ଗାଁର ଚାଷୀ । ନଦୀ ଅବବାହିକାରେ ଗ୍ରାମବାସୀଙ୍କର ୪ଶହ ଏକର ଜମି ରହିଥିବା ବେଳେ ପ୍ରାୟ ୧୫୦ ଏକର ଜମି ନଦୀ ଗର୍ଭରେ ଲୀନ ହୋଇ ସାରିଛି ।

ନଦୀରେ ଚାଷ ଜମି ତ ଲିନ ହୋଇଯାଇଛି, ୨ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ନଦୀରେ ଭାଷି ଯାଇଥିବା ଚାଷୀ କୁହନ୍ତି । ନଦୀ କୂଳ ଖାଉଥିବାରୁ ବନ୍ଧରେ ପଥର ପ୍ୟାକିଂ ଓ ଆଡି ବନ୍ଧ ନିର୍ମାଣ କରିବା ପାଇଁ ଚାଷୀ ଦାବି କରିଛନ୍ତି । ସେପଟେ ଲିଖିତ ଅଭିଯୋଗ ମିଳିଲେ ବ୍ରାହ୍ମଣୀ ବନ୍ଧ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରେ ଏବେ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ବର୍ଷା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇବ । ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଗରୁ ନଦୀ ବନ୍ଧ ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।