ଖାକିରେ ଲାଗିଲା ଠକର ଦାଗ : ଚାକିରୀ ଦେବାକୁ କହି ଯୁବକଙ୍କ ଠାରୁ ଟଙ୍କା ନେଇଥିଲେ ହୋମଗାର୍ଡ

183

କନକ ବ୍ୟୁରୋ : ଚାକିରୀ ଦେବାକୁ କହି ଯୁବକଙ୍କ ଠାରୁ ଟଙ୍କା ନେଇଥିଲେ ହୋମଗାର୍ଡ । ଥାନାରେ ଠକେଇ ନେଇ ଏତଲା ପରେ ଗିରଫ ହେଲେ । ଖାକିରେ ଦାଗର ଏହି ଖବର ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ । ଜଗବନ୍ଧୁ ଥାନାରେ ଡ୍ରାଇଭର ଭାବେ କାମ କରନ୍ତି । ପୁରୁଣା ରେକୁଳାର ଅମିତ ପଟ୍ଟନାୟକଙ୍କ ଅଭିଯୋଗ ଆଣିଛନ୍ତି, ହୋମଗାର୍ଡ ଜଗବନ୍ଧୁ ବେହେରା ତାଙ୍କ ଭାଇକୁ ଚାକିରି କରାଇଦେବାକୁ କହି ୭ ମାସ ତଳେ ୧୫ ହଜାର ଟଙ୍କା ନେଇଥିଲେ ।

ଚାକିରୀ କରାଇଦେବା ପରେ ଆଉ ୫ ହଜାର ନେବେ ବୋଲି କହିଥିଲେ । ଚାକିରୀ କରାଇ ଦେବାକୁ ଆଶାୟୀଙ୍କ ଠାରୁ କାଗଜ ପତ୍ର ବି ନେଇଥିଲେ । ଘଟଣାର ୭ ମାସ ପରେ ବି ନା ଚାକିରୀ ମିଳିଲା, ନା ଟଙ୍କା ଫେରସ୍ତ ପାଇଲେ ଯୁବକ । ଜଗବନ୍ଧୁ ଅମିତଙ୍କୁ ଧରାଛୁଆଁ ନଦେବାରୁ ଏନେଇ କାମାକ୍ଷାନଗର ଥାନାରେ ଏତଲା ପରେ ହୋମଗାର୍ଡ ଜଗବନ୍ଧୁ ବେହେରାଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ । ଜଗବନ୍ଧୁ ଚାକିରୀ କରାଇଦେବା ନାଁରେ ଏମିତି ଅନେକ ଲୋକଙ୍କୁ ଠକିଥିବା ଜଣାପଡିଛି ।