କୋର୍ଟରୁମ ବାହାରେ ବିଚାରପତି ସୃଷ୍ଟି କଲେ ଅନନ୍ୟ ଉଦାହରଣ ! ଖୋଲା ଆକାଶ ତଳେ ଜୀବନ କାଟୁଥିବା ବୃଦ୍ଧଙ୍କୁ କଲେ ଉଦ୍ଧାର ।

40

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଜୀବନ କାଟୁଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ ବିଚାରପତି । କୋର୍ଟ ରୁମ ଛାଡି ଘଂଚ ଜଙ୍ଗଲରେ ଆଦିବାସୀଙ୍କୁ ହକ ଦେଲେ ଢେଙ୍କାନାଳର ବିଚାର ବିଭାଗୀୟ ଅଧିକାରୀ । ଢେଙ୍କାନାଳର ବଣିଆଁ ଗାଁର ୮୦ବର୍ଷିୟ କାଶୀନାଥ ପ୍ରଧାନ ଘଂଚ ଜଙ୍ଗଲ ଭିତରେ ପତ୍ର କୁଡିଆ ଘରେ ଜୀବନ କାଟୁଥିଲେ । ଏହାରି ଭିତରେ ତାଙ୍କ ଉପରେ ଦାଉ ସାଧୁଥିଲା ବର୍ଷା ପ୍ରଶାସନକୁ ଗୁହାରି କରି କରି ନୟାନ୍ତ ହେବା ପରେ ଦୈବ ଭରଷାରେ ଥିଲେ କାଶୀନାଥ । ହେଲେ ଢେଙ୍କାନାଳ ଜିଲ୍ଲା ଆଇନ ପ୍ରାଧିକରଣ କର୍ତୃପକ୍ଷଙ୍କ ନଜରକୁ ଆସିଥିଲା ଏହି ପୁରା ଘଟଣା । ଏହାପରେ ଜିଲ୍ଲା ଆଇନ ପ୍ରାଧିକରଣ ଅଧ୍ୟକ୍ଷା ପ୍ରଣୀତା ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଓ କିଛି ସ୍ୱେଚ୍ଛାସେବୀ ପଛୁଆ ଅଂଚଳର ଅପହଁଚ ଇଲାକାରେ ପହଁଚି ତାଙ୍କୁ ଉଦ୍ଧାର କରିଛନ୍ତି । ଏହା ସହ ନିଜେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ ପରେ ସଚିବ ତଥା ବିଚାର ବିଭାଗୀୟ ଅଧିକାରୀ ଅରୁଣ ପଟ୍ଟନାୟକ ଦୁର୍ଗମ ଅଂଚଳରେ ପହଁଚି ତାଙ୍କୁ ସରକାରୀ ହେଡକ୍ୱାଟରକୁ ଆଣିବାରେ ସଫଳ ହୋଇଛନ୍ତି । ଏମିତିକି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯିବା ସହ ଆବଶ୍ୟକୀୟ ଚିକିତ୍ସା ଓ ଖାଦ୍ୟପେୟ ବି ଯୋଗାଇ ଦିଆଯାଇଛି । ଏମିତିକି ନିଜେ ବିଚାରପତି ମେଡିକାଲକୁ ଯାଇ ତାଙ୍କ ଅବସ୍ଥା ବୁଝିଛନ୍ତି ।

ତେବେ ଜାଣନ୍ତୁ ପ୍ରକୃତରେ କେମିତି ଥିଲା କାଶୀନାଥଙ୍କ ଅବସ୍ଥା । ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଂଚାୟତର ବଣିଆ ଗାଁରେ ଜଙ୍ଗଲି ପରିବେଶରେ ରହୁଥିଲେ କାଶୀନାଥ । ମୁଣ୍ଡ ଗୁଞ୍ଜିବାକୁ ଘର ତ ଦୁୂରର କଥା, ପେଟପୁରା ଖାଇବା ବି ଥିଲା ତାଙ୍କ ପାଇଁ ସାତ ସପନ । ଏସବୁ ଭିତରେ ଆଖ ପାଖରେ ରହିଥିଲା ଅନେକ ଉଇହୁଙ୍କା । ଯାହା ତାଙ୍କ ଜୀବନ ପ୍ରତି ଏକ ବଡ ବିପଦ ସୃଷ୍ଟି କରିଥିଲା । ହେଲେ ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଏବେ ପ୍ରଶାସନର ଚେତା ପଶିଛି ଓ କାଶୀନାଥ ପାଇଛନ୍ତି ନୂଆ ଜୀବନ । କୋର୍ଟରୁମ ବାହାରେ ବିଚାର ବିଭାଗୀୟ ଅଧିକାରୀ ସୃଷ୍ଟି କରିଛନ୍ତି ଆଇନକାନୁନ ଓ ମାନବିକତାର ଏକ ନୂଆ ଉଦାହରଣ ।

ସେପଟେ ସେହି ଅଂଚଳରେ ସରକାରୀ ଯୋଜନା ଠାରୁ ଦୂରରେ ଥିବା ଲୋକଙ୍କର ଆଉ କିଛି କରୁଣ ଚିତ୍ର ବି ସାମ୍ନାକୁ ଆସିଛି । ଯାହା ଏବେ ସେହି ଅଂଚଳର ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଏଦିଗରେ ସମାଧାନ ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ନ୍ୟାୟପାଳିକାର ହସ୍ତକ୍ଷେପ ପରେ ପ୍ରଶାସନ ବି ସଜାଗ ହୋଇଛି । ଢେଙ୍କାନାଳ ଦେଓଗାଁ, ତୋଟପଦା ଓ ସୋରିଷିଆପଦା ପଂଚାୟତରେ ଅନେକ ପରିବାର ସରକାରୀ ସୁବିଧାରୁ ବଂଚିତ ଥିବା ଜଣା ପଡିଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ପ୍ରଣୀତା ମହାନ୍ତିଙ୍କ ନିର୍ଦ୍ଦେଶରେ ସେଠାର ପହଁଚିଥିଲେ ବିଚାର ବିଭାଗୀୟ ଅଧିକାରୀ ତଥା ସଚିବ ଅରୁଣ ପଟ୍ଟନାୟକ । କିଛି ସ୍ୱେଚ୍ଛାସେବୀ ଓ ଅନ୍ୟ ଅଧିକାରୀ ବି ସ୍ଥିତିର ଯାଞ୍ଚ କରିଛନ୍ତି । ଢେଙ୍କାନାଳର ଏହି ଇଲାକାରେ ଏବେ ବି ୮୫ରୁ ଅଧିକ ପରିବାର ସରକାରୀ ସୁବିଧାରୁ ବଂଚିତ, ନାଁ ଅଛି ରାସନ କାର୍ଡ ନା ପରିଚୟ ପତ୍ର । ବିଚାରପତିଙ୍କ ହସ୍ତକ୍ଷେପ ପରେ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।