ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ପିଏମ କିଷାନ ଯୋଜନାରେ ଉପକୃତ ହୁଅନ୍ତୁ ପଞ୍ଜିକୃତ ସମସ୍ତ ଓଡ଼ିଆ ଚାଷୀ, ନବୀନ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି କହିଲେ ଧର୍ମେନ୍ଦ୍ର । 

112
କନକ ବ୍ୟୁରୋ : ଚାଷୀଙ୍କ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଓଡିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡିଶାର ଚାଷୀ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ସାଢେ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓଡିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡିଶାର ୪୦.୫ ଲକ୍ଷ ଚାଷୀ ଅନ୍ତର୍ଭୃକ୍ତ ଅଛନ୍ତି । କିନ୍ତୁ ସପ୍ତମ କିସ୍ତିରେ ଓଡିଶାର ୨୪.୭ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ଏହି ଯୋଜନାରେ ପାଇଥିଲେ । ତେବେ ଏଭଳି ଘଟଣା ପ୍ରଥମ ଥର ନୁହେଁ ବରଂ ଷଷ୍ଠ କିସ୍ତିରେ ମଧ୍ୟ କମ୍ ଚାଷୀ ଏହି ଯୋଜନାର ଲାଭ ପାଇଛନ୍ତି ।
୪୦.୫ ଲକ୍ଷ ଚାଷୀ ମଧ୍ୟରୁ ପିଏମ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜିକୃତଙ୍କ ୨୪ ପ୍ରତିଶତ । ସେହିପରି ଦ୍ୱିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍ ପଞ୍ଜିକୃତଙ୍କ ୭୪ ପ୍ରତିଶତ, ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭୧ ପ୍ରତିଶତ, ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍ ପଂଜିକରଣର ୬୩ ପ୍ରତିଶତ ଚାଷୀ କେବଳ ପିଏମ ଯୋଜନାରେ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇଛନ୍ତି । ପଂଚମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ ଅର୍ଥାତ୍ ୫୩ ପ୍ରତିଶତ, ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର ୬୧ ପ୍ରତିଶତ ଅର୍ଥାତ୍ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି ।
ଓଡିଶାର ଚାଷୀ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ  ।୨୦୧୮ ମସିହାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିଲା । କେନ୍ଦ୍ର ସରକାର ଏହି ଯୋଜନାରେ ବାର୍ଷିକ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ଚାଷୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରମାନେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ ଏବଂ ଯୋଜନାର ୱେବ ପୋର୍ଟାଲରେ ଦାଖଲ କରିବେ । ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଥିବା ଓଡିଶାର ଚାଷୀଙ୍କ ମଧ୍ୟରୁ ବହୁତ୍ କମ୍ ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି । ତେଣୁ ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି  ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାଛଡା କୋଭିଡ-୧୯ ସମୟରେ ଯେତେବେଳେ ସରକାରୀ ସହାୟତା ଚାଷୀଙ୍କୁ ଦରକାର ଥିଲା ସେହି ସମୟରେ ଚାଷୀଙ୍କୁ ପିଏମ କିଷାନ ଟଙ୍କାରୁ ବଞ୍ଚିତ କରିବା ଦୁଃଖଦାୟକ ବୋଲି ଧର୍ମେନ୍ଦ୍ର ଚିଠିରେ କହିଛନ୍ତି ।