ଉଜ୍ୱଳା ଯୋଜନା ଓଡିଶାରେ ବିଫଳ ହେବା ନେଇ ସୂର୍ଯ୍ୟଙ୍କ ଅଭିଯୋଗ ପରେ ଧର୍ମେନ୍ଦ୍ରଙ୍କ ଜବାବ୍ : ଟ୍ୱିଟ କରି କହିଲେ, ଲେଖାଯାଇଥିବା ଚିଠି ବିଭ୍ରାନ୍ତିକର

ଗ୍ରାହକ ହେବାର ବର୍ଷକ ମଧ୍ୟରେ ୭୦ ପ୍ରତିଶତ ପରିବାର ଭରିଛନ୍ତି ସିଲିଣ୍ଡର

165

କନକ ବ୍ୟୁରୋ : ଉଜ୍ୱଳା ଯୋଜନା ଓଡିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଭିଯୋଗ ଉପରେ ଟ୍ୱିଟ୍ କରି ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖବର କାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟ ଉପରେ ପର୍ଯ୍ୟବେସିତ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏଥିରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ ଏବଂ ଏହା ସମ୍ପୁର୍ଣ୍ଣ ଭାବେ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି ।

 

ଧର୍ମେନ୍ଦ୍ର ଲେଖିଛନ୍ତି ଉଜ୍ୱଳା ଯୋଜନାର ବିଫଳତା ସମ୍ବନ୍ଧରେ ମନ୍ତ୍ରୀ ସୂର‌୍ୟ୍ୟ ନାରାୟଣ ପାତ୍ର ମୋତେ ଲେଖିଥିବା ଚିଠି ବିଷୟରେ ଜାଣିବାକୁ ପାଇଲି । ପୂର୍ବରୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀ ମାନଙ୍କୁ ଏହି ଯୋଜନା ସମ୍ପର୍କରେ ବୁଝାଇବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମୋଦି ସରକାରଙ୍କ ଉଜ୍ୱଳା ଯୋଜନା ରାଜ୍ୟର ୪୧ ଲକ୍ଷ ଗରିବ ପରିବାରର ଜୀବନରେ ଆଣିଛି ସକାରାତ୍ମକ ପରିବର୍ତନ । ଏ ସମ୍ପର୍କରେ ରାଜ୍ୟ ସରକାର ଯଦି ଜାଣିବାକୁ ଆଗ୍ରହୀ ଅଛନ୍ତି, ତେବେ ମୁଁ ମୋର ଏହି ପ୍ରସ୍ତାବକୁ ଆଉଥରେ ଦୋହରାଉଛି ।

ଉଜ୍ୱଳା ଯୋଜନା ବିରୁଦ୍ଧରେ ବିଜେଡି ଓ ରାଜ୍ୟ ସରକାରଙ୍କର ମିଥ୍ୟା ରାଜନୈତିକ ପ୍ରଚାର କରୁଛନ୍ତି । ଗରିବ ପରିବାର ମଧ୍ୟରେ ଉଜ୍ଜଳା ଯୋଜନାର ଲୋକପ୍ରିୟତା ରହିଛି । ଆଉ ଏଥିପାଇଁ ବିଭ୍ରାନ୍ତିକର ତଥ୍ୟ ଦେଉଛି ବିଜେଡ଼ି । ଲୋକଙ୍କ ସୁବିଧା ପାଇଁ ଏହି ଯୋଜନାକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାକୁ ଶତ ପ୍ରତିଶତ ଧୁଆଁ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ତଥା ଏହି ପବିତ୍ର ଯୋଜନାକୁ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ ଉଜ୍ୱଳା ଯୋଜନା ଗ୍ରାହକ ହେବାର ଏକ ବର୍ଷ ମଧ୍ୟରେ ୭୦ ପ୍ରତିଶତ ପରିବାର ଗ୍ୟାସ ସିଲିଣ୍ଡର ଭରିଛନ୍ତି । ଏଥିମଧ୍ୟରୁ ୪.୨ ଲକ୍ଷ ଗ୍ରାହକ ରିଫିଲ ନେଇଛନ୍ତି । ଡିସେମ୍ବର ୨୦୧୮ ସୁଦ୍ଧା ୩୫.୨୨ ଲକ୍ଷ ପରିବାରଙ୍କୁ ଏଲପିଜି ସଂଯୋଗ ଦିଆଯାଇଛି । ୨୦୧୪ରୁ ୨୦୧୮ ମଧ୍ୟରେ ଓଡିଶାରେ ୨୨ ପ୍ରତିଶତ ଘରେ ଏଲପିଜି ସଂଯୋଗ ବୃଦ୍ଧି ପାଇ ୬୯ ପ୍ରତିଶତରେ ପହଂଚିଛି । ଗତକାଲି ସ୍ୱର୍ଯ୍ୟ ପାତ୍ର ଓଡିଶାରେ ରିଫିଲ କରୁଥିବା ଗ୍ରାହକଙ୍କ ସଂଖ୍ୟା ବବହୁତ କମ ବୋଲି ଅଭିଯୋଗ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ।