ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ନବୀନ ! ମୁଖ୍ୟମନ୍ତ୍ରୀଙ୍କ ଅପପ୍ରଚାର ମନ୍ତବ୍ୟର ରଖିଲେ କଡା ଜବାବ

33

କନକ ବ୍ୟୁରୋ : ପୁଣି ବିଜେପି ବନାମ ବିଜେଡି । ବିରୋଧୀ ରାଜ୍ୟ ସରକାରଙ୍କ ନାଁରେ ଅପପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡା ଜବାବ ରଖିଛି ବିଜେପି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି, ଦୀର୍ଘଦିନ ଧରି ସରକାରରେ ରହିବା ପରେ ଅଂହକାର ବଢିଯାଏ । ଜିରା ନଦୀରେ ବିଜୁ ସେତୁ ଭୁଷୁଡିବା କଣ ଅପପ୍ରଚାର । ମାଲକାନଗିରିରେ ଗୁରୁପ୍ରିୟା ସେତୁ ପ୍ରସଙ୍ଗ ଉଠାଇବା କଣ ଅପପ୍ରଚାର । ବୁଗୁଡା, ନୂଆପଡା ଓ ବମିଖାଲ ଓଭରବ୍ରିଜ ଭୁଷୁଡିବା ଘଟଣାକୁ ପ୍ରସଙ୍ଗ କରି ଆଲୋଚନା କରିବା କଣ ଅପପ୍ରଚାର ବୋଲି ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ବିରୋଧରେ ସିଏଜି ଭର୍ସନା କରିବା କଣ ଅପପ୍ରଚାର । ଖଟିଆରେ ଗର୍ଭବତୀ ବୁହା ହେବା କଣ ଅପପ୍ରଚାର ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଆଜି ରାଜ୍ୟ ବିଜେପିର କାଯ୍ୟକାରିଣୀ ପରେ ନବୀନଙ୍କୁ ଏଭଳି ପାଲଟା ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କୁ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, ନବୀନଙ୍କ ବିଭାଗରେ ଅଧିକ ପିସି କାରବାର ହେଉଛି । କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ରହିଛନ୍ତି ନବୀନ । ଗତକାଲି ନବୀନ କହଥିଲେ ତାଙ୍କ ଦଳ ବିରୋଧରେ ବିରୋଧୀ ପ୍ରଚାର କରୁଛନ୍ତି । ତେଣୁ ସେ ସବୁଠୁ ଦୁରେଇ ରହିବାକୁ କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ । ଏହାସହିତ ସେ କହିଥିଲେ, ବିରୋଧୀଙ୍କ ଚାଲ କେବେ ମଧ୍ୟ ସଫଳ ହେବ ନାହିଁ । ପୂର୍ବରୁ ମଧ୍ୟ ରାଜ୍ୟବାସୀ ସେଭଳି ଦଳକୁ ଗ୍ରହଣ କରିନାହାନ୍ତି କି ଆଗକୁ ମଧ୍ୟ ଗ୍ରହଣ କରିବେନି ବୋଲି ଦୃଢ ସହକାରେ କହିଥିଲେ ।