କନକ ବ୍ୟୁରୋ : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ଟ୍ୱିଟ୍ କରି ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି, ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ମହେଶ୍ୱର ମହାନ୍ତିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା । ମୁଁ ତାଙ୍କ ଠାରୁ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାର ସମ୍ମାନଜନକ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା - ୨୦୦୩” ପୁରସ୍କାର ଗ୍ରହଣ କରିଥିଲି । ତାଙ୍କ ସହ ଥିବା ମୋର ସ୍ମୃତି ସ୍ମରଣୀୟ ହୋଇରହିବ ।

ରାଜ୍ୟ ରାଜନୀତିରେ ସେ ଜଣେ କୁଶଳୀ ରାଜନେତା ଥିଲେ । ବିଶେଷ ଭାବରେ ଲମ୍ବା ସମୟ ଧରି ଜନପ୍ରତିନିଧି ଭାବରେ ପୁରୀବାସୀଙ୍କ ପାଇଁ ସେ କରିଥିବା କାର୍ୟ୍ୟ ଓ ତାଙ୍କର ସାଂଗଠନିକ ଦକ୍ଷତା ସବୁ ଦିନ ପାଇଁ ମନେରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ମହେଶ୍ୱର ମହାନ୍ତି ଗତ କିଛି ଦିନ ହେବ ହସ୍ପିଟାଲରେ ଭର୍ତ୍ତି  ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ଶତଚେଷ୍ଟା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା ।  ରାତି ୩ଟା ୨୫ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ହସପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ୧ ତାରିଖ ଦିନ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ହୋଇଥିଲେ ମହେଶ୍ୱର । ଏହାପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କ୍ରମାଗତ ଭାବେ ୫ ଥର ପୁରୀ ନିର୍ବାଚନମଣ୍ଡଳୀର ସେ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ ମହେଶ୍ୱର ମହାନ୍ତି । ୨୦୧୧ରେ ପଂଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହପରି ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର । ଅନେକ ବାଦ ବିବାଦରେ ସେ ଛନ୍ଦି ହୋଇଥିଲେ ବି ରାଜ୍ୟ ରାଜନୀତି ବିଶେଷ କରି ପୁରୀ ରାଜନୀତିରେ ସେ ବେଶ ପ୍ରଭାବଶାଳୀ ଥିଲେ । ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ ।