ବାଇ-ଲ ପ୍ରସଙ୍ଗକୁ ନେଇ ଟ୍ୱିଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ହେବ ସମାଧାନ

138

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ବାଇ-ଲ ପ୍ରସଙ୍ଗକୁ ନେଇ ତାତି ବଢିଥିବାବେଳେ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ସଂସ୍କୃତି, ଗୌରବ ଓ ଭାବାବେଗକୁ ସମ୍ମାନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀ କେବି ବି ଅବହେଳା କରିବେ ନାହିଁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରି ଲେଖିଛନ୍ତି ।

ଏଥିିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଓଡିଶାର ସମୃଦ୍ଧ ଐତିହ୍ୟର ସୁରକ୍ଷା ଓ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଶ୍ରଦ୍ଧାଳୁ, ସେବାୟତ ଏବଂ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଗଭୀର ଚିନ୍ତା ସ୍ୱାଗତଯୋଗ୍ୟ । ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦେଶର ଐତିହ୍ୟଗୁଡିକର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଏହି ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣା, ସୁରକ୍ଷା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ଐତିହ୍ୟ ପ୍ରାଧିକରଣ ଗଠନ କରାଯାଇଛି । ଯାହା ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀଗୁଡିକର ସଂରକ୍ଷଣ ଉପରେ ଅଧିକ ଉନ୍ନତି ଆଣିବା ପାଇଁ ଉତ୍ତମ ନୀତି ଓ ଆଇନଗତ ଢାଞ୍ଚା ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ।

ଏଥିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଜନସାଧାରଣଙ୍କ ସଂସ୍କୃତି, ଭାବାବେଗକୁ ତିଳେମାତ୍ର ଅବହେଳା କରିବେ ନାହିଁ । ରାଜ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଏଥିସହ ଏହି ଚିଠା ନିୟମ ନେଇ ରାଜ୍ୟ ସରକାରଙ୍କ ଯାହା ଆପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବା ସହ ଏହାକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ସଚିବଙ୍କୁ ଲିଖିତ ଭାବେ ଅବଗତ କରିବାକୁ ସେ କହିଛନ୍ତି ।