ପଦ୍ମପୁର ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ । କହିଲେ, ‘ଭୋଟ ପାଇଁ ଲୋକଙ୍କୁ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ’

114

କନକ ବ୍ୟୁରୋ: ଆଜି ପ୍ରଚାରରେ କମ୍ପୁଛି ପଦ୍ମପୁର । ଝାରବନ୍ଧରେ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା କଟାକ୍ଷ କରିଛନ୍ତି ।

ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରି କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ତ ଗତ ୨ ବର୍ଷ ହେବ ବିଧାନସଭାରୁ ଛୁଟିନେଇ ବସିଥିଲେ । ହେଲେ ପଦ୍ମପୁରକୁ ପ୍ରଚାର କରିବାକୁ ଆସିଲେ କେମିତି? ପ୍ରକୃତରେ ଏହା ଭାରତୀୟ ଜନତା ପାର୍ଟିର ପଦ୍ମପୁରର ନୈତିକ ବିଜୟ ହେଲା, ଆପଣଙ୍କୁ ପଦ୍ମପୁର ପ୍ରଜାତନ୍ତ୍ର ଦରବାରକୁ ଆସିବାକୁ ପଡିଲା, ନତମସ୍ତକ ହେବାକୁ ପଡିଲା । ଏହା ଭାରତର ଗଣତନ୍ତ୍ରର ବିଜୟ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି,’ ଗତକାଲି ମୁଖ୍ୟମନ୍ତ୍ରୀ ଆସି ପଦ୍ମପୁରବାସୀଙ୍କ ଅନେକ ବିକାଶମୂଳକ କାର୍ଯ୍ୟ କରିବାକୁ କହିଦେଇ ଗଲେ । ହେଲେ ୨୨ ବର୍ଷ ଭିତରେ ପଦ୍ମପୁର ବାସୀଙ୍କ ପାଇଁ କରୁଥିଲେ କ’ଣ? ୨୦୧୯ ମସିହାରେ ପ୍ରଦୀପ ପୁରୋହିତ୍ ବିଧାୟକ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଜିଲ୍ଲା ଦାବି ନେଇ ଯାଇଥିଲେ । ସେତେବେଳେ ଏହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ୧୯୯୩ ମସିହାରେ ଯେତେବେଳେ ପଦ୍ମପୁରକୁ ଜିଲ୍ଲା ଦାବି ହୋଇଥିଲା ସେତେବେଳେ ମଧ୍ୟ ଏହାକୁ ଯେଉଁମାନେ ବିରୋଧ କରିଥିଲେ ସେମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ବାମ ପଟେ ଛିଡା ହୋଇଛନ୍ତି । ଖାଲି ଏତିକି ନୁହେଁ ଝାରବନ୍ଧରେ ଜଳସେଚନ ପ୍ରକଳ୍ପ କରିବାକୁ ପ୍ରତିଶୃତି ଦେଇଥିଲେ ବି ଏହାକୁ ଭୁଲିଗଲେ । ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କର ସବୁକଥା ମନେପଡୁଛି’ ।

ଡିସେମ୍ବର ୧ ତାରିଖରେ ଶୀତକାଳୀନ ଅଧିବେଶନରେ ଜିଲ୍ଲା ଗଠନ ପ୍ରସଙ୍ଗ ଉଠିବାରୁ ବିଜେଡି ସରକାରଙ୍କ ମନ୍ତ୍ରୀ କହିଲେ ଯେ, ଏବେ କୌଣସି ଜିଳ୍ଲା ଗଠନ ଯୋଜନା ନାହିଁ । ହେଲେ ଏହାପରେ ମୁଖ୍ୟମନ୍ତ୍ରୀ କିପରି ଏହାକୁ ଜିଲ୍ଲା କରିଦେବାକୁ ପ୍ରତିଶୃତି ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ପଦ୍ମପୁର ବାସିନ୍ଦାଙ୍କୁ ଭାରି ମିଛ କହୁଛନ୍ତି । ବିଜେଡି ସରକାର ଭୋଟ ପାଇବାକୁ ଏତେ ଡହଳବିକଳ ଯେ, ଲୋକଙ୍କୁ ମିଛ କହିବାକୁ ପଛାଉନାହାଁନ୍ତି । ପେପରରେ କ’ଣ ସବୁ ଲେଖାହୋଇଛି ମୁଖ୍ୟମନ୍ତ୍ରୀ କିଛି ବୁଝୁନାହାଁନ୍ତି । ତାଙ୍କ ଅନୁଚରମାନେ ଯାହା ଲେଖିଦେଉଛନ୍ତି ତାକୁ ପଢିଦେଉଛନ୍ତି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ଥକିଗଲେଣି’ ।

ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସି ଯାହା ଯାହା କହିଥିଲେ ତା’ର କଡା ଜବାବ ରଖିଛନ୍ତି ଧର୍ମେନ୍ଦ୍ର । ଯେଉଁ ଦଳ ପାଇଁ ଯିଏ ଯେତେ ପ୍ରଚାର କରନ୍ତୁ ପଛେ ହେଲେ ପଦ୍ମପୁର ବାସିନ୍ଦା ଜାଣିଛନ୍ତି ଯେ, ତାଙ୍କ ଯୋଗ୍ୟ ପୁଅ ପ୍ରଦୀପଙ୍କୁ ଜିତାଇବେ ନା ଆଉ କାହାକୁ’ ।