୨ ଓଡ଼ିଆ ଶିକ୍ଷକଙ୍କୁ ଜାତୀୟ ଶିକ୍ଷା ପୁରସ୍କାର, ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ 

125

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକ ମାନଙ୍କର ବଡ ଭୂମିକା ରହିଛି ବୋଲି ରବିବାର ଗୁରୁ ଦିବସ ଅବସରରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ  ମାଧ୍ୟମରେ ଆୟୋଜିତ ‘ଜାତୀୟ ଶିକ୍ଷକ ପୁରସ୍କାର’ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ କହିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆହୁରି ମଧ୍ୟ କହିଛନ୍ତି କି, ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତନ କରିବେ । ପୂର୍ବତନ ରାଷ୍ଟ୍ରପତି ଡ଼ାକ୍ତର ଏପିଜେ ଅବଦୁଲ କଲାମଙ୍କ ଶିକ୍ଷକଙ୍କ ପ୍ରତି ଥିବା ସମ୍ମାନକୁ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତିରେ ଭାରତକୁ ବିଶ୍ୱ ଜ୍ଞାନର ମହାଶକ୍ତି ଭାବରେ ପ୍ରତିଷ୍ଠା କରିବା ପାଇଁ ମହତ୍ୱକାଂକ୍ଷୀ ଉଦ୍ଦେଶ୍ୟ ନିଶ୍ଚିତ କରାଯାଇଛି ।

ସେହିପରି ଏହି କାର୍ଯ୍ୟକ୍ରମରେ କିମ୍ବଦନ୍ତୀ ଶିକ୍ଷକ ଭାରତରତ୍ନ ଡା. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କୋଭିଡ୍-୧୯ ସମୟରେ ଶିକ୍ଷାର ନିରନ୍ତରକୁ ସୁନିଶ୍ଚିତ କରିବାରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏକ ରାଷ୍ଟ୍ରର ଦ୍ରୁତ ବିକାଶ ପାଇଁ ଜଣେ ଶିକ୍ଷକ ଯେଉଁ ଭୂମିକା ଗ୍ରହଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକବିଂଶ ଶତାବ୍ଦୀର ଭାରତର ଭାଗ୍ୟକୁ ପରିବର୍ତନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏକବିଂଶ ଶତାବ୍ଦୀରେ ଭାରତକୁ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ଶିଖରକୁ ନେବା ପାଇଁ ଆମେ ସକଳ୍ପବଦ୍ଧ । ଗୁରୁ ଦିବସରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଥିବା ଓଡିଶାର ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ସେଠୀ ଏବଂ ଭଦ୍ରକ ଜିଲ୍ଲାର ସରକାରୀ ବିଦ୍ୟାଳୟର ଅଶୋକ କୁମାର ଶତପଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ ।