ପୁଣିଥରେ ଭାରତ ଛାଡ ଆନ୍ଦୋଳନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ । ଧର୍ମେନ୍ଦ୍ର କହିଲେ, ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ହେବ ଆନ୍ଦୋଳନ ।

ପୁଣିଥରେ ଭାରତ ଛାଡ ଆନ୍ଦୋଳନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ । ଧର୍ମେନ୍ଦ୍ର କହିଲେ, ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ହେବ ଆନ୍ଦୋଳନ ।

କନକ ବ୍ୟୁରୋ : ଭାରତ ଛାଡ ଆନ୍ଦୋଳନ ଡାକରାର ୮୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର ।

ଏହି ଭିଡିଓ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଅଂହିସାର ପୂଜାରୀ ପୂଜ୍ୟ ବାପୁ ଇଂରେଜ ଶାସକଙ୍କ ବିରୋଧରେ ‘ଭାରତ ଛାଡ’ ଆନ୍ଦୋଳନ ଡାକରା ଦେଇଥିଲେ । ଗାନ୍ଧିଜୀଙ୍କ ଏହି ପ୍ରେରଣାଦାୟୀ ଡାକରା ବ୍ରିଟିଶ ସରକାରଙ୍କୁ ଭୟଭୀତ କରାଇ ଦେଇଥିଲା ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲା । ଆମ ରାଜ୍ୟ ଓଡ଼ିଶାରେ ଗାନ୍ଧିଜୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ନୂଆ ଉଦ୍ଦୀପନା ଆଣିଦେଇଥିଲା । ଗାନ୍ଧିଜୀଙ୍କ ଡାକରାରେ ଉଦବୁଦ୍ଧ ହୋଇ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ତଥା ଅନେକ ପ୍ରମୁଖ ନେତୃମଣ୍ଡଳୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।

ଗାନ୍ଧିଜୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ବରପୁତ୍ର ପବିତ୍ରମୋହନ ପ୍ରଧାନ ୧୯୪୨ରେ ଜେଲରୁ ଖସି ଆସି ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ନିଜର ଅନନ୍ୟ ସାହସର ପରିଚୟ ଦେଇଥିଲେ । କୋରାପୁଟର ଲକ୍ଷ୍ମଣ ନାଏକ ଫାଶୀ ଖୁଣ୍ଟରେ ପ୍ରାଣବଳୀ ଦେବା ଦେଶପ୍ରୀତିର ଚରମ ନିଦର୍ଶନ । ବରଗଡ଼ର ପାଣିମୋରା ଗାଁରୁ ୩୬ ଜଣ ଯୁବକ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଉଜ୍ଜ୍ୱଳ ଅଧ୍ୟାୟ । ଭଦ୍ରକର ଇରମ ଠାରେ ବ୍ରିଟିଶଙ୍କ ଗୁଳିମାଡରେ ୨୯ ଜଣ ସଂଗ୍ରାମୀ ଶହୀଦ ହେବା, ନବରଙ୍ଗପୁରର ପାପଡାହାଣ୍ଡି ଠାରେ ୧୯ ଜଣ ଶହୀଦ ପ୍ରାଣବଳୀ ଦେବା ଇତ୍ୟାଦି ୧୯୪୨ର ‘ଭାରତ ଛାଡ’ ଆନ୍ଦୋଳନର ଅବିସ୍ମରଣୀୟ ଘଟଣା । ସେହି ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ପ୍ରାଣବଳୀ ଦ୍ୱାରା ମିଳିଥିବା ସ୍ୱାଧୀନତା ଆମ ଭାରତବର୍ଷକୁ ଗାରିମାମୟ କରିଛି ।

ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରି ସାରିଛି । ଭାରତବର୍ଷ “ଅମୃତକାଳ”ରେ ପ୍ରବେଶ କରିଛି ଏବଂ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପ ନେଇଛି । ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଦାୟିତ୍ୱସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନୂଆ ପରିଚୟ ସୃଷ୍ଟି କରିଛି । ମହିଳା, ଯୁବପିଢି ତଥା ବଞ୍ଚିତ ବର୍ଗର ଲୋକମାନେ ଆଜି ଆଶା ଓ ଉତ୍ସାହର ସହ ନିଜ ପରିବାର ଏବଂ ସମାଜ ପାଇଁ ମୂଲ୍ୟବାନ ଯୋଗଦାନ ରଖୁଛନ୍ତି । କିନ୍ତୁ ଭାରତବର୍ଷର ପ୍ରଗତିରେ ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟୀକରଣ ମନୋବୃତ୍ତି ଆଧାରିତ ରାଜନୀତି ବାଧକ ସାଜିଛି । ଭାରତବର୍ଷକୁ ଏକ ପ୍ରଗତିଶୀଳ, ବିକଶିତ ଏବଂ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢି ତୋଳିବାର ପ୍ରକ୍ରିୟାରେ ବାଧକ ହୋଇଛି । ସାଧାରଣ ଭାରତୀୟ ମାନଙ୍କର ନ୍ୟାୟପୂର୍ଣ୍ଣ, ଭ୍ରଷ୍ଟାଚାର ତଥା ଅରାଜକତା ମୁକ୍ତ ଶାସନ ପାଇବାରେ ପ୍ରତିବନ୍ଧକ ସାଜୁଛି ।

ତେଣୁ ଗାନ୍ଧିଜୀଙ୍କ ୧୯୪୨ର ଭାରତ ଛାଡ ଆନ୍ଦୋଳନର ପ୍ରାସଙ୍ଗିକତା ଆଜି ଆହୁରି ବଢିଯାଇଛି । ଆଜି ଆମେ ସମସ୍ତେ ଏହି ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା । ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି କରୁଥିବା ଅପଶକ୍ତି ମାନଙ୍କ ଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା । ଏହି ନୂତନ ଭାରତ ଛାଡ ଆନ୍ଦୋଳନ ହିଁ ଗାନ୍ଧିଜୀଙ୍କ ପରିକଳ୍ପିତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ବିକଶିତ ଭାରତବର୍ଷ ନିର୍ମାଣକୁ ସୁନିଶ୍ଚିତ କରିବ । ଏହା ହିଁ ଆଜି ଦିନରେ ଗାନ୍ଧିଜୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ମାନଙ୍କ ପ୍ରତି ସର୍ବୋକୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe