ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନକୁ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ! ଉଜ୍ଜଳା ଯୋଜନା ନେଇ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ।

ରାଜ୍ୟରେ ଉଜ୍ଜଳା ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

176

କନକ ବ୍ୟୁରୋ: ରାଜ୍ୟରେ ଉଜ୍ଜଳା ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜଳା ଯୋଜନା ବିଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟାନ ସମ୍ପୁର୍ଣ୍ଣ ରୂପେ ଅସତ୍ୟ ଓ ତଥ୍ୟ ଉପରେ ଆଦୌ ଆଧାରିତ ନୁହେଁ ବୋଲି ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ପତ୍ରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଓଡିଶା ସରକାର ଜ୍ୱଳନ୍ତ ଜନସମସ୍ୟାକୁ ସମାଧାନ କରିବାର ବିଫଳତାକୁ ଘୋଡାଇ ଲୋକଙ୍କ ଧ୍ୟାନ ହଟାଇବାକୁ ଏପରି ପ୍ରସଙ୍ଗ ଉଠାଇଛନ୍ତି ।

ରାଜ୍ୟରେ ଗ୍ୟାସ ରିଫିଲ ପ୍ରସଙ୍ଗ ନେଇ ଗତ କିଛି ଦିନ ତଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ବୟାନ ରଖିଥିଲେ । ଯାହାକୁ ନେଇ ଯବାବ ରଖିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଏକ ପତ୍ର ଲେଖି କହିଛନ୍ତି, ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହିତାଧିକାରୀମାନେ ମୋଟ ୧.୨ କୋଟି ରିଫିଲ ନେଇଛନ୍ତି । ଯାହା ହିତାଧିକାରୀ ପିଛା ୩.୭ ହାରରେ ସିଲିଣ୍ଡରରେ ବ୍ୟବହାର ହୋଇଛି । କେବଳ ସେତିକି ନୁହେଁ ରାଜ୍ୟରେ ୪.୨ ଲକ୍ଷ ଉଜ୍ଜଳା ପରିବାର ୪ ବା ଚତୁର୍ଦ୍ଧା ରିଫିଲ ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି, ୨୦୧୪ ମେ ମାସ ସୁଦ୍ଧା ଓଡିଶାରେ ୧୯ ଲକ୍ଷ ଏଲପିଜି କନେକସନ ମୋଟ ପରିବାର ୨୨ ପ୍ରତିଶତ ଘରେ ପହଞ୍ଚିଥିଲା । ମାତ୍ର ଆଜି ଏହି ସଂଖ୍ୟା ୬୯ ପ୍ରତିଶତରେ ପହଞ୍ଚିଛି । କିନ୍ତୁ ରାଜ୍ୟରେ ଏଲପିଜି ଯୋଗାଇ ଦେବା ପାଇଁ ନିୟମ କୋହଳ ହେବା କାରଣରୁ ରାଜ୍ୟର ୯୦ ପ୍ରତିଶତ ଘରେ ଖୁବ ଶିଘ୍ର ଏଲପିଜି ଯୋଗାଣ ଲକ୍ଷ ପୂରଣ ହେବ ବୋଲି ଆଶା କରାଯାଉଛି ।