କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ନେଇ ଚର୍ଚ୍ଚା ! କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇପାରନ୍ତି ଧର୍ମେନ୍ଦ୍ର

37

କନକ ବ୍ୟୁରୋ : ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ ମନ୍ତ୍ରୀ । ସ୍ୱାଧୀନ ପାହ୍ୟା । ମୋଦିଙ୍କ ଗୁଡବୁକରେ  ଥିବା ଧର୍ମେନ୍ଦ୍ରଙ୍କ ଖୁବଶୀଘ୍ର ହୋଇପାରେ ପଦୋନ୍ନତି । ହେଉଥିବା ଚର୍ଚା ଅନୁସାରେ, ଧର୍ମେନ୍ଦ୍ରଙ୍କୁ ନିଜ ବିଭାଗର କ୍ୟାବିନେଟ୍ ପାହ୍ୟା ମିଳିପାରେ । ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ଧର୍ମେନ୍ଦ୍ରଙ୍କୁ ସଂଗଠନ ଦାୟିତ୍ୱ ଦେବାକୁ ବିଜେପି ନେତୃତ୍ୱ ଚିନ୍ତା କରୁଥିବା ଶୁଣାଯାଉଥିଲା । ହେଲେ ଏବେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ସମ୍ଭାବନା ଅଧିକ ।

ଧର୍ମେନ୍ଦ୍ରଙ୍କୁ ନେଇ ଦିଲ୍ଲୀରୁ ଓଡିଶା ଯାଏଁ ଚର୍ଚା । ମୋଦି ମନ୍ତ୍ରୀମଣ୍ଡଳର ଜଣେ ଦକ୍ଷ ଓ ପ୍ରଭାବୀ ମନ୍ତ୍ରୀ । ଯଦି ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳେ ତେବେ ଓଡିଶାରେ ଏହି କେନ୍ଦ୍ରମନ୍ତ୍ରୀଙ୍କ କାଟତି ଆହୁରି ବଢିବ । ଉଜ୍ଜଳା ଯୋଜନା ମାଧ୍ୟମରେ ଘରେ ଘରେ ରନ୍ଧନ ଗ୍ୟାସ୍ ପହଁଚାଇ ଚର୍ଚ୍ଚାରେ ଅଛନ୍ତି ଏହି କେନ୍ଦ୍ରମନ୍ତ୍ରୀ । ରାଜନୀତିରେ ବିଜେଡିର ମୁକାବିଲା ପାଇଁ କେନ୍ଦ୍ର ସରକାର କିମ୍ବା କେନ୍ଦ୍ରୀୟ ନେତୃତ୍ୱର ସହଯୋଗ ନିଅନ୍ତି ଧର୍ମେନ୍ଦ୍ର । କାରଣ ସେ ବି ଜାଣିଛନ୍ତି ନବୀନଙ୍କୁ ଚେକ୍ ଦେବାକୁ ତାଙ୍କୁ ମୋଦିଙ୍କ ସହାୟତା ଦରକାର । ତେଣୁ କ୍ୟାବିନେଟ୍ ପାହ୍ୟା ଦେଇ ଧର୍ମେନ୍ଦ୍ରଙ୍କୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ମୋଦି ମଧ୍ୟ ଚାହୁଁଥିବା ଚର୍ଚା ହେଉଛି ।

ରାଜ୍ୟସଭା ସାଂସଦ ଭାବେ ଆସନ୍ତା ବର୍ଷ ସରୁଛି ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ । ତା’ପରବର୍ଷ ଅର୍ଥାତ୍ ୨୦୧୯ରେ ସାଧାରଣ ନିର୍ବାଚନ । ତେଣୁ ଏହି ଅଦଳବଦଳରେ ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ବିଜେପି କଣ ଭୂମିକା ଦେବ ତା’ଉପରେ ସମସ୍ତଙ୍କ ନଜର ।