ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି : ଭଦ୍ରକ ମେଡିକାଲ କଲେଜ ପାଇଁ ପ୍ରସ୍ତାବ ଦେବାକୁ ନବୀନଙ୍କୁ ଅନୁରୋଧ, ଭୁବନେଶ୍ୱରରେ ସଂଖ୍ୟାଲଘୁ ଛାତ୍ରୀଙ୍କ ହଷ୍ଟେଲ ଲାଗି ମୁଖତାର ଆବାସ ନକଭିଙ୍କୁ ନିବେଦନ

273

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭିଙ୍କୁ ପୃଥକ ଭାବେ ଚିଠି  ଲେଖିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକରେ ଏକ ମେଡ଼ିକାଲେ କଲେଜ ପ୍ରତିଷ୍ଠା ପାଇ ରାଜ୍ୟ ପକ୍ଷରୁ  କେନ୍ଦ୍ର ସଂଖ୍ୟା ଲଘୁ ବ୍ୟପାର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରେ କୌଣସି ଆଞ୍ଚଳିକ ମେଡ଼ିକାଲର ସୁବିଧା ନାହିଁ । ଏଥିପାଇଁ ଲୋକଙ୍କୁ ଚିକିତ୍ସା ପାଇଁ ଦୂରଦୁରାନ୍ତରକୁ ଯିବାକୁ ପଡ଼ୁଛି । ଭଦ୍ରକରେ ଏକ ମେଡ଼ିକାଲ କଲେଜ ନିର୍ମାଣ ହେଲେ ଆଖପାଖରେ ରହୁଥିବା ଲୋକେ ଉତ୍ତମ ଚିକିତ୍ସା ପାଇପାରିବେ ।

ଭାରତ ସରକାର ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ(ପିଏମଜେଭିକେ) ଯୋଜନା ସ୍ୱାସ୍ଥ୍ୟରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କରନ୍ତୁ ବୋଲି ଚିଠିଲେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।  କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ । ଏବଂ  ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷାଙ୍ଗିକ ଖର୍ଚ୍ଚର ଦାୟିତ୍ୱ ନେବେ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ ସଂଖ୍ୟାଲଖୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭିଙ୍କୁ ମଧ୍ୟ ପୃଥକ୍ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସ୍କୁଲ କିମ୍ବା କଲେଜରେ ପାଠ ପଢ଼ୁଥିବା ସଂଖ୍ୟାଲଘୁ ଛାତ୍ରୀଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଯାଉ ବୋଲି ଅନୁରୋଧ କରିଛନ୍ତି । ପିଏମଜେଭିକେ ଯୋଜନା ଅଧୀନରେ କେବଳ ଅଧିକ ସଂଖ୍ୟାଲଘୁ ଅଂଚଳ ପାଇଁ ପ୍ରକଳ୍ପମାନ ମଞ୍ଜୁର କରିଛନ୍ତି । ରାଜଧାନୀ କିମ୍ବା ଅନ୍ୟ ମୁଖ୍ୟ ସହର ଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ନିମନ୍ତେ ପ୍ରକଳ୍ପ ଗୁଡ଼ିକ ପଛେଇ ଯାଉଛି  ।  ତେଣୁ ରାଜ୍ୟର ରାଜଧାନୀ ତଥା ପ୍ରମୁଖ ସହରରେ ପିଏମଜେଭିକେ ଯୋଜନାରେ ସୁବିଧା ଦେବା ଆବଶ୍ୟକ । ଛାତ୍ରାବାସ, ଆବାସିକ ବିଦ୍ୟାଳୟ, ଆଇଟିଆଇ ଦକ୍ଷତା କେନ୍ଦ୍ର ପ୍ରକଳ୍ପ କରିବା ପାଇଁ ଅନୁମତି ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ସୁବିଧା ଯୋଗାଇ ଦିଆଗଲେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ଓ ମହିଳା ସଶକ୍ତିକରଣ  ଭଳି ପ୍ରମୁଖ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।