ଧର୍ମେନ୍ଦ୍ର ନା ନବୀନ – କିଏ ଓଡିଶାର ଭୂମିପୁତ୍ର ? ଜୋର ଧରିଲା ଆକ୍ଷେପ ଯୁଦ୍ଧ

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି-ବିଜେପି ମୁହାଁମୁହିଁ ରାଜନୀତିରେ ନୂଆ ପ୍ରସଙ୍ଗ । ପଳାତକ କିଏ? ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା ବିହାରରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ବନିଥିବା ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ରାଜନୀତିର ନୂଆ ଅଧ୍ୟାୟର ଏହି ଶବ୍ଦ ଏବେ ବିତର୍କର ପ୍ରସଙ୍ଗ ପାଲଟିଛି ।

ଧର୍ମେନ୍ଦ୍ର ପ୍ରଧାନ- ଓଡିଶାରେ ପରାଜିତ ହେବା ପରେ ବିହାରରୁ ରାଜ୍ୟସଭା ପାଇଁ ମନୋନିତ ହୋଇଥିଲେ । ଏପରିକି ବିଜେପି ଶାସନକୁ ଆସିଲେ, ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଆକଳନ ହେଲାଣି । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ଶାସନ ବ୍ୟବସ୍ଥାକୁ ବାରମ୍ବାର କାଠଗଡାରେ ଠିଆ କରୁଛନ୍ତି ଧର୍ମେନ୍ଦ୍ର । ହେଲେ ନିଜ ମାଟିରେ ପରାଜିତ ହୋଇ ବାହାର ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବାରୁ ଧର୍ମେନ୍ଦ୍ରଙ୍କୁ ପଳାତକର ଆଖ୍ୟା ଦେଇଛି ବିଜେଡି । ସେପଟେ ବିଜେପି ଅନୁସାରେ ଧର୍ମେନ୍ଦ୍ର ଓଡିଶା ମାଟିର । ଯିଏ ଓଡିଶା ଫେରିବେ । ହେଲେ ଦିଲ୍ଲୀରୁ ଆସି ଓଡିଶାରେ ରାଜନୀତି କରୁଥିବା ନବୀନ, ପରାଜିତ ହେଲେ ଦିଲ୍ଲୀ ଫେରିଯିବେ ବୋଲି ବିଜେପି କହିଛି ।

ଅନ୍ୟପଟେ ଧର୍ମେନ୍ଦ୍ରଙ୍କୁ ପଳାତକ ଆଖ୍ୟା ନେଇ ବିଜେଡି ଦୁଇ ଫାଳ ହୋଇଛି । ଦଳର ଅନ୍ୟତମ ମୁଖପାତ୍ର ଅମର ଶତପଥି ଧର୍ମେନ୍ଦ୍ରଙ୍କ ବାହାର ରାଜ୍ୟରୁ ପ୍ରତିନିଧିତ୍ୱକୁ ସକରାତ୍ମକ ଢଙ୍ଗରେ ଦେଖିଛନ୍ତି ।

ବିଜେପି ସହ ମେଂଟରେ ଥିବା ସମୟରେ ଖୋଦ୍ ନବୀନ ବାବୁ ବାହାର ରାଜ୍ୟର ବଲବିର ପୁଂଜଙ୍କୁ ଓଡିଶାରୁ ରାଜ୍ୟସଭା ପାଇଁ ମନୋନିତ କରିଥିଲେ । ଅନ୍ୟପଟେ ଯେଉଁଠି ବାହାର ରାଜ୍ୟରୁ ଜଣେ ଓଡିଆ ପୁଅ ରାଜ୍ୟସଭା ପାଇଁ ମନୋନିତ ହୋଇ କେନ୍ଦ୍ର ମନ୍ତ୍ରୀ ହେଉଛନ୍ତି, ତାଙ୍କୁ ପଳାତକ କହିବା କେତେ ଦୂର ଠିକ୍, ତାହା ଏବେ ପ୍ରଶ୍ନବାଚୀ।