ବିଭାଜନ ବିଭିଷିକା ସ୍ମୃତି ଦିବସରେ ନେହେରୁ ଓ କଂଗ୍ରେସକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ଓ ଅପରାଜିତା । କଂଗ୍ରେସ କହିଲା, ନେତାଙ୍କ କଥାରେ ବଦଳି ଯିବନି ଇତିହାସ

156

କନକ ବ୍ୟୁରୋ: ଅଗଷ୍ଟ ୧୪ ଆନନ୍ଦର ଦିନ ନୁହେଁ, ବିଭୀଷିକାର ଦିନ । ଏହି ଦିନ ଭାରତ ବିଭାଜନ ହୋଇ ଭାରତ ଓ ପାକିସ୍ତାନ ଗଠନ ହୋଇଥିଲା । ଆଜିର ଦିନକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି । ଆଉ ଆଜିର ଦିନରେ ଜବାହରଲାଲ ନେହେରୁ ଓ କଂଗ୍ରେସ ପରିବାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କଂଗ୍ରେସ ଓ ନେହେରୁଙ୍କୁ ସିଧା ଟାର୍ଗେଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ,ି ଦେଶର ଗୋଟିଏ ପରିବାର ଇତିହାସକୁ ନିଜ ଢଙ୍ଗରେ ବନାଇଥିଲେ । ଏବେ ମୋଦି ସରକାର ଇତିହାସକୁ ପରିବୃଦ୍ଧି କରିବା ପାଇଁ ଲାଗିଛି ।

ସେହିପରି ଅପରାଜିତା କହିଛନ୍ତି, ନେହେରୁ ଓ ଜିନ୍ନା ଯଦି ବ୍ରିଟିଶଙ୍କ ସହ ଠିକ୍ ଭାବେ ଆଲୋଚନା କରିଥାନ୍ତେ ତାହା ହେଲେ ବୃହତ ଭାରତ ହୋଇଥାନ୍ତା । ଉଭୟେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବାରୁ ଦେଶ ବିଭାଜନ ହେଲା । ଦେଶକୁ ଅନ୍ଧାରରେ ରଖି ଏଭଳି କରାଯାଇଥିଲା ।

  • ଇତିହାସ ନେଇ କିଏ କହୁଛି ସତ?
  • ଧର୍ମେନ୍ଦ୍ର, ଅପରାଜିତାଙ୍କୁ କଡା ଜବାବ ଦେଲା କଂଗ୍ରେସ

ନେହେରୁ ଓ ଗାନ୍ଧି ପରିବାରକୁ ବିଜେପି ନେତାଙ୍କ ଟାର୍ଗେଟ ପରେ ଏହାର କଡା ଜବାବ ଦେଇଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି, କିଏ କିଛି କହିଦେଲେ ଇତିହାସ ବଦଳିଯିବନି । ଦେଶ ସ୍ୱାଧୀନ ହେବା ସମୟରେ ଏମାନେ କେଉଁଠି ଥିଲେ? ବିଜେପି କେଉଁଠି ଥିଲା ? ବୋଲି ସେ ପ୍ରଶ୍ନ କରିଛନ୍ତି । ଇତିହାସକୁ ବିଭ୍ରାନ୍ତ କରିବାକୁ ଯେଉଁ ଉଦ୍ୟମ କରାଯାଉଛି, ତାହା ସଫଳ ହେବନାହିଁ । ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ଭଳି ସମସ୍ୟାରୁ ଲୋକଲୋଚନରୁ ହଟାଇବା ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ପିସିସି ସଭାପତି ।

ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ଏକ ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଦେଶ ବିଭାଜନର ବିକଳ ଚିତ୍ର ଦେଖିବାକୁ ମିଳିଥିଲା ।