ଧାମନଗର ଉପନିର୍ବାଚନ:  ବିଜେପି ପ୍ରାର୍ଥୀ ହେବେ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ!

486

କନକ ବ୍ୟୁରୋ: ବିଜେପି ଟିକେଟରେ ଧାମନଗର ଉପନିର୍ବାଚନ ଲଢିବେ ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ । ଏନେଇ ଏକପ୍ରକାର ନିଶ୍ଚିନ୍ତ ହୋଇସାରିଥିବା ବେଳେ କେବଳ ଦଳ ପକ୍ଷରୁ ଔପଚାରିକ ଘୋଷଣା ବାକି ରହିଛି । ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୧୯ ତାରିଖରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ହୋଇଛି । ନଭେମ୍ବର ୬ ତାରିଖରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିବାବେଳେ ତିନି ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ କଳ୍ପନା ଜଳ୍ପନା ଲାଗିରହିଛି ।

 ଏହାରି ଭିତରେ ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇ, ଦଳ ସହାନୁଭୂତିର ଭୋଟ ହାତେଇବାକୁ ରଣନୀତି କରିଥିବା ଅନୁମାନ କରାଯାଉଛି । କାରଣ ଉପନିର୍ବାଚନ ପୂର୍ବରୁ ବିଭିନ୍ନ ପଞ୍ଚାୟତରେ ବୁଲି ଲୋକଙ୍କ ଆଶୀର୍ବାଦ ନେଉଛନ୍ତି ସୂରଜ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଆଜି ଭଦ୍ରକରେ ପହଞ୍ଚି ବିଜେପି ନେତାମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ବାପାଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲ ପାଇବାକୁ ନେଇ ଏହି ଲଢେଇ କରିବେ ବୋଲି ଦମ୍ଭ ଦେଖାଇଛନ୍ତି ସୂରଜ । ଅନ୍ୟପକ୍ଷରେ ଧାମନଗରେ ବିଜେପି ସଂଗଠନ ମଜବୁତ ଥିବା କହି ଉପନିର୍ବାଚନରେ ବିଜୟୀ ହେବାକୁ ଦମ ଦେଖାଇଛନ୍ତି ବରିଷ୍ଠ ନେତା ମନମୋହନ ସାମଲ ।