କୋଭିଡ୍ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଗିରଫ କରିବା, ଫାଇନ୍ କାଟିବା ଆମକୁ ଦୁଃଖ ଦେଉଛି । ତେଣୁ ଲୋକ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ : ଡିଜିପି ଅଭୟ ।

225

କନକ ବ୍ୟୁରୋ: ସମସ୍ତ ଜନସାଧାରଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନାଇଟ୍ କର୍ଫ୍ୟୁ ନିୟମ ପାଳନ କରନ୍ତୁ । ଯେଉଁ ସ୍ଥାନରେ ଯାହା ନିୟମ ରହିଛି ମାନନ୍ତୁ । ଅମାନିଆ ହୋଇ ପୋଲିସ ହାତରେ ଧରାପଡିଲେ ପୋଲିସ ନିଶ୍ଚୟ ଫାଇନ୍ ଆଦାୟ କରିବ । ଯାହାକି ପୋଲିସଙ୍କୁ ବହୁତ ଦୁଃଖ ଦେଉଛି । କ୍ରିମିନାଲଙ୍କୁ ଧରିବା ପୋଲିସର କାମ, ଏପରି ଅମାନିଆଙ୍କଠୁ ଫାଇନ୍ ଆଦାୟ କଲେ ଆମକୁ ଖୁସି ମିଳୁନି । ଆଜି ରାଜ୍ୟବାସୀଙ୍କୁ କୋଭିଡ୍ ନେଇ ସଚେତନ କରିବା ସମୟରେ ଏପରି କହିଛନ୍ତି ପୋଲିସ ଡିଜି ଅଭୟ ।

ତାଙ୍କ କହିବା ମୁତାବକ, ଲୋକମାନେ ନିଜକୁ ସତର୍କ ରଖିବା ସହିତ ନିୟମ ପାଳନ କରନ୍ତୁ । ଅନେକ ଲୋକ ନିୟମ ପାଳନ କରୁଛନ୍ତି, ହେଲେ କିଛି ଲୋକ ଏବେ ବି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ଯାହାଙ୍କୁ ଧରିବା ସହିତ ପୋଲିସ ଫାଇନ୍ ଆଦାୟ କରୁଛି । ଖାଲି ଏପ୍ରିଲ ମାସରେ ରାଜ୍ୟରୁ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠୁ ପୋଲିସ ୫ କୋଟିରୁ ଅଧିକ ଟଙ୍କାର ଫାଇନ୍ ଆଦାୟ କରିଛି ପୋଲିସ । ତେବେ ଏହା ପୋଲିସକୁ କଦାପି ଖୁସି ଦେଉନି ବୋଲି ଡିଜିପି କହିଛନ୍ତି ।

ଅନ୍ୟପଟେ ରାଜ୍ୟବାସୀଙ୍କୁ ସଂକ୍ରମଣ ଏଡାଇବାକୁ ତିନୋଟି ମନ୍ତ୍ର ଦେବା ସହିତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ଡିଜିପି । ଏହି ତିନୋଟି ମନ୍ତ୍ର ହେଲା – ସମସ୍ତେ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ପାଳନ କରନ୍ତୁ । ଏହା ନକଲେ ଆମେ କଦାପି କରୋନା ସଂକ୍ରମଣକୁ ରୋକି ପାରିବାନି ବୋଲି ଡିଜିପି କହିଛନ୍ତି ।