ଚିଲିକା ଉପରେ ହେଲିକପ୍ଟର ଉଡିବା ପ୍ରସଙ୍ଗ । ତଦନ୍ତ ପରେ ରିପୋର୍ଟ ଦେଲେ ଡିଜିସିଏ, କହିଲେ, ଉଡାଣରେ କୌଣସି ଆଇନ ଉଲ୍ଲଂଘନ ହୋଇନାହିଁ

30

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କ୍ଲିନଚିଟ୍ ଦେଇଛି ଡିଜିସିଏ । ଏ ନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ । ବୈଜୟନ୍ତଙ୍କ ବିରୋଧରେ ଚିଲିକା ଉପରେ ଅତି କମ୍ ଉଚ୍ଚତାରେ ହେଲିକପ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ତଦନ୍ତ କରିବାକୁ ଭୁବନେଶ୍ୱର ବିମାନ କର୍ତୃପକ୍ଷ ଡିଜିସିଏକୁ ଅନୁରୋଧ କରିଥିଲେ ।

ଗତ ସେପ୍ଟେମ୍ବର ୧୫ ତାରିଖରେ ଇମ୍ଫା ହେଲିକପ୍ଟର -ଆର୍-୪୪ ଉଡାଣର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଥିଲା । ଚିଲିକା ଉପରେ ଅତି ବିପଦଜନକ ଭାବେ ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡାଇଥିବା ନେଇ ଓଡ଼ିଶା ପୋଲିସ ମଧ୍ୟ ଅଭିଯୋଗ କରିଥିଲା । ଏପରିକି ଅଭିଯୋଗ ଆଧାରରେ ବୈଜୟନ୍ତଙ୍କର ହେଲିକପ୍ଟର ହ୍ୟାଙ୍ଗରକୁ ସିଜ୍ କରିଥିଲା ପୋଲିସ । ତେବେ ଏହାର ତଦନ୍ତ କରି ଡିଜିସିଏ ଦର୍ଶାଇଛନ୍ତି ଯେ ଉଡାଣରେ କିଛି ଆଇନ ଉଲଂଘନ ହୋଇନାହିଁ । ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣରେ କୌଣସି ତ୍ରୁଟି ଦେଖିବାକୁ ମିଳିନାହିଁ । ଡିଜିସିଏ ରିପୋର୍ଟ ପରେ ଟ୍ୱିଟ୍ କରି ସତ୍ୟର ଜୟ ହେଉ ବୋଲି କହିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ।