ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ…..ସନ୍ଦେହ ଘେରରେ ଡିଏଫଓଙ୍କ ବ୍ୟାକ୍ ଗେଟ୍ । କ୍ୱାଟର୍ସ କାନ୍ଥ ଭାଙ୍ଗି କାହିଁକି କରିଥିଲେ ଗେଟ୍ ?

1,437

କନକ ବ୍ୟୁରୋ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ସନ୍ଦେହରେ ରହି ଆସିଥିବା ଡିଏଫଓଙ୍କ ବ୍ୟାକ ଗେଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ନା, କ୍ୱାଟର୍ସର କାନ୍ଥ ଭାଙ୍ଗି ଦୁଇ ମାସ ତଳେ ଏକ ଗେଟ ତିଆରି କରିଥିଲେ ଡିଏଫଓ । ତେବେ ଏହି ଗେଟ୍ ସେ କାହିଁକି ନିର୍ମାଣ କରିଥିଲେ ତାକୁ ନେଇ ଚର୍ଚ୍ଚା ବଢିିଛି ।

ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ହେଉଛନ୍ତି ୨୦୦୯ ବ୍ୟାଚର ଆଇଏଫଏସ ଟପର । ରେଢାଖୋଲ ପରେ ଗତ ଜୁଲାଇ ୨୦୨୦ରେ ଗଜପତି ଡିଏଫଓ ଭାବେ ଯୋଗ ଦେଇଥିଲେ ସଂଗ୍ରାମ କେଶରୀ ଆଉ ଏସିଏଫ ସୌମ୍ୟରଞ୍ଜନ ମଧ୍ୟ ସେଇ ୨୦୨୦ ଜୁନ୍ ମାସରେ ଯୋଗ ଦେଇଥିଲେ । ତେବେ ଡିସେମ୍ବର ମାସରେ ସୌମ୍ୟ ବିଦ୍ୟାଭାରତୀ ପଣ୍ଡାଙ୍କୁ ବାହା ହେବା ପରେ ଡିଏଫଓ କ୍ୟାମ୍ପସରେ ଥିବା ଏସିଏଫଙ୍କ ସରକାରୀ ବାସଭବନରେ ରହୁଥିଲେ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀ । ଆଉ ସେହି ଏସିଏଫ କ୍ୱାର୍ଟର ଓ ଏହାର ଠିକ ସମ୍ମୁଖରେ ରହିଛି ଡିଏଫଓଙ୍କ ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳା । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

  • ସୌମ୍ୟଙ୍କ ବାସଭବନକୁ ଯାଉଥିଲେ କି ଡିଏଫଓ?
  • ଏସିଏଫ ସୌମ୍ୟରଞ୍ଜନଙ୍କୁ ରାତିଅଧିଆ ଡ୍ୟୁଟିକୁ ପଠାଉଥିଲେ?

କୁହାଯାଉଛି ସୌମ୍ୟରଞ୍ଜନଙ୍କୁ ବାହାହେବା ଲାଗି ବିଦ୍ୟାଭାରତୀ କୁଆଡେ ରାଜି ନଥିଲେ । ତେବେ ପରିବାରର ଚାପରେ ସୌମ୍ୟଙ୍କୁ ବାହା ହୋଇଥିଲେ ବିଦ୍ୟାଭାରତୀ । ଗତ ଡିସେମ୍ବର ମାସରେ ବାହାଘର ପରେ ଗଜପତି ଠାରେ ସରକାରୀ ବାସଭବନରେ ରହୁଥିଲେ ଏସିଏଏଫ ଏବଂ ତାଙ୍କ ସ୍ତ୍ରୀ । ଆଉ ସୌମ୍ୟଙ୍କ ପରିବାରର ଅଭିଯୋଗ କ୍ରମେ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀଙ୍କ ମଧ୍ୟରେ ଅବୈଧ ସମ୍ପର୍କ ରହିଥିଲା ।

କିଛିଦିନ ପୂର୍ବରୁ ସୌମ୍ୟଙ୍କ ସହ ଗଣ୍ଡଗୋଳ ପରେ ଶଙ୍ଖା ସିନ୍ଦୁର ଭାଙ୍ଗି କେଉଁ ଆଡେ ଚାଲି ଯାଇଥିଲେ ବିଦ୍ୟାଭାରତୀ ଆଉ ପରବର୍ତ୍ତୀ ସମୟରେ ପତ୍ନୀଙ୍କୁ ଡିଏଫଓଙ୍କ ବାସଭବନରେ ଠାବ କରାଯାଇଥିଲା । ଏମିତି କି ଏସିଏଫ ସୌମ୍ୟରଞ୍ଜନଙ୍କୁ ଡିଏଫଓ ରାତି ଅଧିଆ ଡ୍ୟୁଟିକୁ ପଠାଉଥିଲେ ଆଉ ସୌମ୍ୟଙ୍କ ଅନୁପସ୍ଥିତିରେ ଡିଏଫଓ ଏବଂ ବିଦ୍ୟାଭାରତୀ ମୌଜ କରୁଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ସେପଟେ ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଉଭୟ ଡିଏଫଓ ଏବଂ ଏସିଏଫ ଏବଂ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ କଲ ଡିଟେଲ୍ସ ଓ ଟୁର ଲଗକୁ ତନାଘନା କରୁଛି ଗଜପତି ପୁଲିସ ଓ କ୍ରାଇମବ୍ରାଞ୍ଚ ଆଉ ବାରିପଦାରୁ ତଦନ୍ତକାରୀ ଦଳ ଫେରିବା ପରେ ତଦନ୍ତ ପ୍ରକ୍ରିୟା ଆଗେଇବ ବୋଲି କହିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ ।