ଜାଗର ପାଇଁ ଚଳଚଞ୍ଚଳ ଶୈବପୀଠ। ଭୋଳାନାଥଙ୍କ ଦର୍ଶନ ଲାଗି ରାଜ୍ୟର ବିଭିନ୍ନ ଶୈବାଳୟରେ ହଜାର ହଜାର ଭକ୍ତଙ୍କ ସମାଗମ

231

କନକ ବ୍ୟୁରୋ: ଆଜି ପବିତ୍ର ଜାଗର । ଚଳଚଂଚଳ ଶୈବପୀଠ । ଶୈବପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ଆଜି ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ ଶ୍ରଦ୍ଧାଳୁ । ନିର୍ଘଂଟ ଅନୁସାରେ ନୀତି ସମାପନ ପରେ ମନ୍ଦିରମାନଙ୍କରେ ମହାଦୀପ ଉଠିବ । ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ଜାଗର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ, ଶ୍ରୀ ଲୋକନାଥ, ପ୍ରଭୁ ଧବଳେଶ୍ୱର, କପିଳାସ ମନ୍ଦିରରେ ଶୃଙ୍ଖଳିତ ଭାବେ ପୂଜାବିଧି ସମାପନ ପାଇଁ ବ୍ୟବସ୍ଥା କରାଯାଇଛି । ଜାଗର ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି । ଶୈବପୀଠମାନଙ୍କରେ ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀ ମାନେ ମୁତୟନ ହୋଇଛନ୍ତି । ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ରକ୍ଷେତ୍ର । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗିଛି । ରାତି ୧୦ଟାରେ ମହାଦୀପ ଉଙ୍ଖିବ । ସୋମବାରରେ ଶିବରାତ୍ରୀ ପଡୁଥିବାରୁ ଅସମ୍ଭାଳ ଭିଡ ହେବ ବୋଲି ଅନୁମାନ କରାଯାଉଛି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ପୁଲିସ ବାହିନୀ ସୁରକ୍ଷା ବଳୟ ତିଆରି କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୨୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଜାଗର ଯାତ୍ରା ପାଇଁ ଚଳଚଂଚଳ ହୋଇଛି ଶ୍ରୀଲୋକନାଥ ଦେବଙ୍କ ମନ୍ଦିର ପରିସର । ସକାଳୁ ସକାଳୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ଚାଲିବ । ଶ୍ରୀମନ୍ଦିରରୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ବାହାରି ନଗର ପରିକ୍ରମା କରି ଶ୍ରୀଲୋକନାଥଙ୍କ ମନ୍ଦିରରେ ପହଁଚିବେ । ସେଠାରେ ହରିହର ଭେଟ ନୀତି ଅନୁଷ୍ଠିତ ହେବ । ତାପେର ରାତି ୨ଟାରୁ ୩ଟା ମଧ୍ୟରେ ଠାକୁରଙ୍କ ପୂଜାଭୋଗ ସମ୍ପନ୍ନ ହୋଇ ରାତି ୩ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମହାପ୍ରଭୁଙ୍କ ଦର୍ଶନ ଓ ଠାକୁରଙ୍କ ପୂଜାନୀତି ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଜାଗର ମେଳା ପାଇଁ ଉତ୍ସବମୁଖର ହୋଇଉଠିଛି ପ୍ରସିଦ୍ଧ ଶୈବପୀଠ କପିଳାସ । ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଶିବ ଭକ୍ତଙ୍କ ଭିଡି ଜମିଛି । ଭୋର ୪ଟାରେ ମଙ୍ଗଳ ଆଳତି କରାଯାଇ ସକାଳ ୭ଟାରେ ସୂର୍ଯ୍ୟପୂଜା ଓ ବଲ୍ଲଭ ଭୋଗ କରାଯିବ । ସକାଳ ୯ଟାରେ ଖେଚୁଡି ଅନ୍ନ ଓ ବିରି, ଅରୁଆ ଚାଉଳ, ନଡିଆରେ ମିଶ୍ରିତ ଚକାପିଠାରେ ସକାଳ ଧୂପ ହେବ । ମଧାହ୍ନରେ ଅନ୍ନ ଓ ଡାଲି, ପୂଜା ପରେ ଅପରାହ୍ନ ୨ଟାରେ ଖେଚୁଡି, ଅନ୍ନପୁଳିରେ ଦ୍ୱିପ୍ରହର ଧୂପ ଶେଷ କରାଯିବ । ସନ୍ଧ୍ୟା ଆଳତି ଧୂପ ୬ଟାରେ ଶେଷ କରାଯିବା ପରେ ଷୋଡଶ ଉପଚାର ପୂଜା ଆରମ୍ଭ କରାଯିବ । ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ପୀଠ ପୁରୋଧାଙ୍କୁ ଦ୍ୱାରା ଚାରିପୂଜା ଓ ରାତି ଗୋଟାଏ ସମୟରେ ରାଜପୁରୋଧାଙ୍କ ଦ୍ୱାରା ବରଣ ହେବା ପରେ ଚାରିପୂଜା ସମ୍ପନ୍ନ ହେବ । ରାତି ୨ଟାରେ ମହାରୁଦ୍ରାଭିଷେକ ହେବ । ତାପରେ ରାତି ୩ଟା ୫୦ରେ ମହାଦୀପ ଉଠିବ ।

ପବିତ୍ର ମହାଶିବରାତ୍ରି ପାଇଁ ସାରା ଦେଶରେ ଚଳଚଂଚଳ ଶୈବପୀଠ । ରାତି ଅଧରୁ ବିଭିନ୍ନ ଶୈବାଳୟରେ ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ । କଶ୍ମୀରଠୁ କନ୍ୟାକୁମାରୀ , ମହାରାଷ୍ଟ୍ରରୁ , ମଣିପୁର ସବୁଠି ଶିବ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଘଂଟା ଘଂଟା ଅପେକ୍ଷା କରି ଧାଡିରେ ଯାଇ ଭଗବାନ ଶିବଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।