ପୁଣି ଶ୍ରୀକ୍ଷେତ୍ରରେ ଉତ୍ତେଜନା: ସେବାୟତ-ପୁଲିସ ବିବାଦ ଯୋଗୁଁ ନୀତିକାନ୍ତିରେ ବିଳମ୍ବ, ଦୀର୍ଘ ସମୟ ଧରି ଅପେକ୍ଷା ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପସିଲେ ଭକ୍ତ

ଖୋଲିନି ଶ୍ରୀମନ୍ଦିର ଭିତର ଦ୍ୱାର, ଆରମ୍ଭ ହୋଇନି ନୀତି

147

କନକ ବ୍ୟୁରୋ: ପୁରୀରେ ସେବାୟତ-ପୋଲିସ ମୁହାଁମୁହିଁ ଘଟଣା ଏବେ ତିବ୍ର ରୂପ ନେଇଛି । କାର୍ଯ୍ୟାନୁଷ୍ଠାନ ଦାବି କରି ନିଜ ଜିଦରେ ଅଟଳ ଅଛନ୍ତି ସେବାୟତ । ଏପରିକି ଆଜି ଶ୍ରୀମନ୍ଦିରର ଭିତର ଦ୍ୱାରକୁ ବି ବନ୍ଦ କରିରଖିଥିବାରୁ ଏଯାଏଁ ଖୋଲିପାରିନି ମନ୍ଦିର । ଫଳରେ ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ରହିଛନ୍ତି ଓପାସ ।

ଅନ୍ୟପଟେ, ଅଚଳାବସ୍ଥା ଦୂର ପାଇଁ ସେବାୟତଙ୍କ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ବିଫଳ ହୋଇଛି । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସେବାୟତ ନିଜ ବିବେକ ଅନୁସାରେ କାମ କରନ୍ତୁ । ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲିନଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଉ ଏହି ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ । ମିଳିଥିବା ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ସେବାୟତଙ୍କ କହିବା ହେଲା ଯାତ୍ରୀ ଜଣଙ୍କ ବିଦେଶୀ ନୁହନ୍ତି । ସେ ବଙ୍ଗାଳି ଭାଷାରେ କଥା ହେଉଛନ୍ତି ।

ତେବେ ପରିଚୟପତ୍ର ଦେଇପାରିନଥିଲେ ଶ୍ରଦ୍ଧାଳୁ । ତେଣୁ ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।