ପ୍ରଭୁ ଗଣେଶଙ୍କୁ ୫ କେଜିର ସୁନା ମୁକୁଟ ଦାନ କଲେ ଭକ୍ତ । ଦାମ ଜାଣିଲେ ହୋଇଯିବେ ଆଶ୍ଚଯ୍ୟ…

206

କନକ ବ୍ୟୁରୋ: କୋଭିଡ୍ କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ଗଣେଶ ଚତୁର୍ଥୀ । କଟକଣାକୁ ପାଳନ କରିବା ସହିତ ଲୋକମାନେ ପ୍ରଭୁ ଗଣେଶଙ୍କ ଆରାଧନା କରୁଛନ୍ତି । ଏହାରି ଭିତରେ ପୁଣେରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଚମକାଇ ଦେବ । ଆଦ୍ୟପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କୁ ଏକ ୫ କିଲୋଗ୍ରାମର ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଯାହାର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ମହାରାଷ୍ଟ୍ରରେ ଗଣେଶ ପୂଜା ବେଶ ଧୂମଧାମରେ ପାଳନ କରାଯାଏ । ପ୍ରାୟ ୧୦ ଦିନ ଧରି ସେଠାରେ ମହୋତ୍ସବ ଲାଗିରହିଥାଏ । ଆଉ ଭକ୍ତମାନେ ନିଜ ପ୍ରିୟ ଠାକୁରଙ୍କ ଅନେକ ଜିନିଷ ଦାନ କରିଥାନ୍ତି । ହେଲେ ଚଳିତ ବର୍ଷ କରୋନା କାରଣରୁ ଭକ୍ତମାନେ ଭଗବାନଙ୍କ ଦର୍ଶନ କରିପାରୁନାହାଁନ୍ତି । ହେଲେ ପୁଣେର ଜଣେ ଭକ୍ତ ଶ୍ରୀମନ୍ତ ଦୁଗଡୁସେଠ ହଲବାଇ ଗଣପତି ମନ୍ଦିରରେ ପ୍ରଭୁ ଗଣେଶଙ୍କୁ ଏହି ଦାମୀ ମୁକୁଟ ଦାନ କରିଛନ୍ତି । ଖାଲି ସେତିକି ନୁହେଁ, ଶ୍ରୀମନ୍ତ ଦୁଗଡୁସେଠ ହଲବାଇ ଗଣପତି ମନ୍ଦିରର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟୁଇଟ୍ କରି କୁହାଯାଇଛି ଯେ, ଆଜି ପ୍ରଭୁ ଗଣେଶଙ୍କୁ ୨୧ କେଜିର ମହାଭୋଗ ଚଢାଯାଇଛି । ତା ସହିତ ଫେସବୁକ ଓ ୱେବସାଇଟ୍ ଜରିଆରେ ଭକ୍ତ ଭଗବାନଙ୍କ ଦର୍ଶନ କରିପାରିବେ ।

କରୋନା ଭାଇରସ କାରଣରୁ ଏବେ ମହାରାଷ୍ଟ୍ରର ବିଭିନ୍ନ ମନ୍ଦିରରେ କୋଭିଡ୍ ପ୍ରଟୋକଲ ପାଳନ କରାଯାଉଛି । ଭକ୍ତ, ଭଗବାନଙ୍କ ଦର୍ଶନରେ ପ୍ରତିବନ୍ଧକ ସାଜିଛି କରୋନା । ମୁମ୍ବାଇ ପୋଲିସ ସେପ୍ଟେମ୍ବର ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସହରରେ ଧାରା ୧୪୪ ଲାଗୁ କରିଛି । ଏହାଫଳରେ ସହରର କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି ।