ବଢୁଥିଲା ନଦୀର ପାଣି, ଟ୍ରେନ୍ ଭିତରେ ପଶିଥିଲା ସାପ । ମହାଲକ୍ଷ୍ମୀ ଏକ୍ସପ୍ରେସର ଯାତ୍ରୀ ବଖାଣିଲେ ୧୫ ଘଣ୍ଟାର ଲୋମଟାଙ୍କୁରା ଅନୁଭୂତି ।

652

କନକ ବ୍ୟୁରୋ : ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଗତକାଲି ଟ୍ରାକରେ ଫସିରହିଥିଲା ମହାଲକ୍ଷ୍ମୀ ଏକ୍ସପ୍ରେସ । ୧୫ ଘଂଟାରୁ ଅଧିକ ସମୟ ଧରି ଫସିରହିଥିଲେ ୭ଶହରୁ ଅଧିକ ଯାତ୍ରୀ । ଖବର ପାଇବା ମାତ୍ରେ ଉଦ୍ଧାରକାର୍ଯ୍ୟରେ ଲାଗିପଡିଥିଲେ ନୌସେନା ଓ ଏନଡିଆରଏଫ୍ ଟିମ୍ । ପରେ ପାଣି ଘେରରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଥିଲା । ତେବେ କିଭଳି ଥିଲା ସେଇ ୧୫ ଘଣ୍ଟାର ଭୟାନକ କାହାଣୀ, କେମିତି ଜୀବନ ମରଣ ସହ ସଂଘର୍ଷ କରିଥିଲେ, ଉଦ୍ଧାର ହେବା ପରେ ଅନୁଭୂତି ବଖାଣିଛନ୍ତି ଯାତ୍ରୀ । ଆସନ୍ତୁ ଜାଣିବା କେମିତି ଥିଲା ସେହି ସମୟରେ ଟ୍ରେନ୍ ଭିତରର ଦୃଶ୍ୟ ।

ଟ୍ରେନରେ ଯାତ୍ରା କରୁଥିବା ନିନାଦ ନାମକ ଜଣେ ଯାତ୍ରୀଙ୍କ କହିବାନୁସାରେ, ଟ୍ରେନ୍ ବାହାରେ ଉଲ୍ଲାସ ନଦୀର ଜଳସ୍ତର ବଢ଼ିବାକୁ ଲାଗିଥାଏ । ଯାତ୍ରୀମାନେ ଚାହିଁକି ବି ଟ୍ରେନ୍ ଭିତରୁ ବାହାରକୁ ବାହାରି ପାରୁ ନଥିଲେ । ସାରା ରାତି ଟ୍ରେନ୍ ଭିତରେ ସମସ୍ତେ ଉଜାଗ ରହିଥିଲେ ଓ ଏଭଳି ପରିସ୍ଥିତିରୁ କିପରି ଉଦ୍ଧାର ପାଇବେ ସେନେଇ ଭଗବାନଙ୍କୁ ପ୍ରାର୍ଥନା ବି କରୁଥିଲେ। କେବଳ ଏତିକି ନୁହେଁ ଏହି ସମୟରେ ଟ୍ରେନ୍ ଭିତରେ ସାପ ବି ପଶି ଆସିଥିଲା । ଯାହାକୁ ଦେଖି ଯାତ୍ରୀମାନେ ଆହୁରି ଭୟଭୀତ ହୋଇପଡ଼ିଥିଲେ । କୌଣସି ଉପାୟରେ ସେହି ସାପକୁ ଟ୍ରେନ୍ ଭିତରୁ ବାହାର କରାଯାଇଥିଲା । ସମସ୍ତ ଯାତ୍ରୀ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଇଥିଲେ । କିନ୍ତୁ ଏବେ ବି ସେଦିନର କଥା ଭାବିଲେ ଲୋକମୂଳ ଟାଙ୍କୁରି ଉଠେ ବୋଲି ନିନାଦ କହିଛନ୍ତି ।

ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଫଳରେ ଅଣ୍ଟାଏ ଉଚ୍ଚର ବର୍ଷାଜଳ ରେଳ ଧାରଣା ଉପରକୁ ଚାଲି ଆସିବା ଫଳରେ ସେଇ ଧାରଣା ଉପର ଦେଇ ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଚାମତୋଲି ନିକଟରେ ଆଉ ଆଗକୁ ଯାଇ ପାରି ନଥିଲା । ଫଳରେ ଟ୍ରେନ୍ ମଧ୍ୟରେ ଅଟକ ରହିଯାଇଥିବା ୭୦୦ଜଣ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍, ନୌସେନା, ବାୟୁସେନା ଓ ଆରପିଏଫ ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍ ଆରମ୍ଭ ହୋଇଥିଲା ।

ବୋଟ୍ ଜରିଆରେ ତିନୋଟି ଏନଡିଆରଏଫ୍ ଟିମ୍ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ନେଭିର ୮ଟି ଟିମ୍ ସହିତ ହେଲିକପ୍ଟର ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ । ଯେଉଁ ସ୍ଥାନରେ ଟ୍ରେନ୍ ପାଣି ଘେରରେ ଫସିଥିଲା, ସେହିଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ରହିଥିଲା ଉଚ୍ଚ ଖୋଲା ଅଂଚଳ । ଲୋକଙ୍କୁ ଉଦ୍ଧାର କରି ସେହି ସ୍ଥାନକୁ ଅଣାଯାଇଥିଲା ।