ଚାକିରୀ ନୁହେଁ ବ୍ୟବସାୟ କରି ପାଇ ହେବ ସଫଳତା । ଉଚ୍ଚଶିକ୍ଷା ପରେ ଦେଶୀ କୁକୁଡା ଚାଷ କରି ସଫଳ ହୋଇଛନ୍ତି କୁଚିଣ୍ଡାର କ୍ଷୀରସାଗର ।

199

କନକ ବ୍ୟୁରୋ: କଠିନ ପରିଶ୍ରମ ଯେ ଦିନେ ସଫଳତା ଆଣିଦିଏ , ଏକଥାକୁ କରିଦେଖାଇଛନ୍ତି ଜଣେ ଆଗ୍ରୋ-ପଲିଟେକନିକ ପାଠ ପଢିଥିବା ଶିକ୍ଷିତ ଯୁବକ । ଆଶା ଥିଲା ଚାକିରୀ କରି ଭଲ ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା । କିନ୍ତୁ ଚାକିରୀ ପଛରେ ଧାଉଁ ଧାଉଁ ନିଶା ଲାଗିଗଲା ଚାଷ ଉପରେ । ସେ ପୁଣି ଦେଶୀ କୁକୁଡା ଚାଷ । ଆଉ ଏବେ ସଫଳତାର ଶିର୍ଷରେ ପହଁଚି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଢାବା ହେଉ ବା ରେଷ୍ଟୁରାଂଟ , ହୋଟେଲ ହେଉ ଅବା କୈାଣସି ଭୋଜିଭାତ । ଯେଉଁଠି ଦେଶୀ କୁକୁଡାର ନାଁ ଆସେ ସେଇଠି ଲୋକଙ୍କ ଭିଡ ଜମେ । ଆଉ ଏହି ଦେଶୀ କୁକୁଡାର ଚାହିଦାକୁ ନେଇ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବୁଦେଲକାନି ଗାଁର କ୍ଷୀରସାଗର ଚାଷ କରିବାକୁ ମନ ବଳାଇ ଏବେ ହୋଇପାରିଛନ୍ତି ଜଣେ ସଫଳ ଦେଶୀ କୁକୁଡା ଚାଷୀ । ପ୍ରଥମେ ଆଇଟିଆଇ ଓ ପରେ ଏଗ୍ରିକଲଚରରେ ଡିପ୍ଲୋମା କରି ଚାକିରି କରିବା ପାଇଁ ମନ ବଳାଇ ଥିଲେ ହେଲେ ଏବେ କୁକୁଡା ଚାଷ କରି ବେଶ ସଫଳତା ପାଇଛନ୍ତି । ଆଉ ଭଲ ଦି ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି । ଖାଦ୍ୟ ଦେବା , ଯତ୍ନ ନେବା ସହ ସମସ୍ତ ରକ୍ଷଣା ବେକ୍ଷଣା କାର୍ଯ୍ୟ ନିଜେ କରିଥିବା ବେଳେ ଅନ୍ୟାନ୍ୟ କାମ ପାଇଁ ଦୁଇ ଜଣଙ୍କୁ ମଧ୍ୟ କାମ ଦେଇଛନ୍ତି କ୍ଷୀରସାଗର ।

ଏବେ ପ୍ରାଥମିକ ପର୍ଯ୍ୟାୟରେ ଛଅ ଶହ କୁକୁଡା ଚାଷ କରିଥିବା ବେଳେ ଆଗକୁ ଫାର୍ମକୁ ବଡ କରି ଅଧିକ ଦେଶୀ କୁକୁଡା ରଖିବା ପାଇଁ ମନ ବଳାଇଛନ୍ତି । କୁକୁଡା କେଜି ପିଛା ଦୁଇ ଶହ ଅଶୀରୁ ତିନି ଶହ ଟଙ୍କାରେ ବିକ୍ରି କରୁଥିବା ବେଳେ ବାହାର ବଜାରରେ ଏହାର ଦାମ ତିନି ଶହ ଅଶୀରୁ ଚାରି ଶହ ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ତେବେ ତାଙ୍କର ଏହି ସଫଳତାକୁ ଦେଖି ପାଖ ଆଖ ଗାଁର ଯୁବକ ମଧ୍ୟ ଏହି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେଣି ।