କନକ ବ୍ୟୁରୋ: ଆବେଦନ ପରେ ବି ଛୁଟି ମିଳିଲାନି । ତୁରନ୍ତ ଚାକିରିରୁ ଇସ୍ତଫା ଦେଇଦେଲେ ଉପଜିଲ୍ଲାପାଳ । ଆମେ କହୁଛୁ ମଧ୍ୟପ୍ରଦେଶ ଛତରପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତା ନିଶା ବାଙ୍ଗରେଙ୍କ କଥା । ନିଜର ମୌଳିକ ଅଧିକାର ପାଇଁ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି, ଯାହା ଏବେ ଚର୍ଚ୍ଚିତ ଖବର ପାଲଟିଛି । ଘର ପ୍ରତିଷ୍ଠା ଏବଂ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେବାକୁ ଏକାଧିକ ଥର ଛୁଟି ପାଇଁ ଆବେଦନ କରିଥିଲେ ବି ଶୁଣିନଥିଲେ ଉପରସ୍ଥ ଅଧିକାରୀ । ତେଣୁ ବାଧ୍ୟ ହୋଇ ଚାକିିରିରୁ ପଦରୁ ଇସ୍ତଫା ଦେବାକୁ ନଷ୍ପତ୍ତି ନେଇଛନ୍ତି । ତାଙ୍କ ଅଭିଯୋଗ ଯେ, ପ୍ରଶାସନିକ ବିଭାଗ ତାଙ୍କ ଛୁଟି ଆବେଦନକୁ ଦୁଇ ଥର ବାତିଲ କରିଥିଲେ, ଯାହା ନିଶା ବାଙ୍ଗରେଙ୍କୁ ଗଭୀର ଆଘାତ ଦେଇଥିଲା ଏବଂ ସେ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ଇସ୍ତଫା ପତ୍ର ଲେଖି ସମ୍ପୃକ୍ତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପଠାଇଥିଲେ ।

Advertisment

ନିଶାଙ୍କ କହିବା ମୁତାବକ, ସେ ଏବେ ଲବକୁଶ ନଗରରେ ଏସଡିଏମ୍ ପଦରେ କାର୍ଯ୍ୟ କରୁଛନ୍ତି । ବୈତୁଲ ଜିଲ୍ଲା ଆମଲା ବିଧାନସଭା ନିର୍ବଚନ ମଣ୍ଡଳିରେ ସେ ନିଜର ନୂଆ ଘର କରିଛନ୍ତି । ଏଠାରେ ଜୁନ୍ ୨୫ ତାରିଖରେ ନୂଆ ଘର ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେଠାକୁ ଭଗବାନ ବୁଦ୍ଧଙ୍କ ଅସ୍ଥି ଆସିବାର କାର୍ଯ୍ୟକ୍ରମ ଥିବାରୁ ବଡ ଧରଣର ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହେବ । ଏଥିପାଇଁ ବିପୁଳ ପରିମାଣରେ ଅତିଥିଙ୍କୁ ନିମନ୍ତ୍ରଣ ମଧ୍ୟ ହୋଇଛି । କିନ୍ତୁ ଏହା ଉପରେ ଆପତ୍ତି ଆଣିଥିଲେ ପ୍ରଶାସନିକ ବିଭାଗ । ଏପରି କୌଣସି ସର୍ବଧର୍ମ ସମନ୍ୱୟ କାର୍ଯ୍ୟକ୍ରମ ପାଇଁ ଛୁଟି ମିଳିପାରିବ ନାହିଁ ବୋଲି କହିଥିଲେ ଉଚ୍ଚ ଅଧିକାରୀ, ଯାହା ନିଶାଙ୍କ ଧାର୍ମିକ ଓ ଭାବନାତ୍ମକ ଆବେଗକୁ ଆଘାତ ଦେଇଥିଲା । ଯେଉଁଠି ସେ ନିଜର ମୌଳିକ ଅଧିକାରକୁ ସୁରକ୍ଷା ଦେଇପାରୁନାହାଁନ୍ତି ସେଠି ଜନତାଙ୍କ ମୌଳିକ ଅଧିକାରକୁ କିପରି ନ୍ୟାୟ ଦେବେ । ତେଣୁ ତାଙ୍କର ଏହି ପଦବୀରେ ରହିବାର କୌଣସି ଇଚ୍ଛା ନାହିଁ ବୋଲି କହିବା ସହ ଇସ୍ତଫା ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ ନିଶା ବାଙ୍ଗରେ ।

 ଇସ୍ତଫା ଦେବା ପରେ ତାଙ୍କର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି । କିଛି ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ତାଙ୍କର ଏଭଳି ଇସ୍ତଫାକୁ ଏକ ନିହିତ ଉଦ୍ଦେଶ୍ୟ କହିବା ସହ ରାଜନୀତିକ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ନିଶା ବାଙ୍ଗରେ ଆମଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ତେଣୁ ଏଥପାଇଁ ପ୍ରସ୍ତୁତି କରିବାକୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଅପରପକ୍ଷେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉପଜିଲ୍ଲାପାଳ ନିଶା ବାଙ୍ଗରେ ।

ନିଶା ବିଦିଶା ସମ୍ରାଟ ଅଶୋକ ପ୍ରଦ୍ୟୋଗିକ ସଂସ୍ଥାନରୁ ୨୦୧୪ରେ ଇଞ୍ଜିନିୟରିଙ୍ଗ ପାସ୍ କଲେ ।ଏହାପରେ ଏକ ଘରୋଇ କମ୍ପାନୀରେ ଚାକିରି କଲେ । ହେଲେ ଇଚ୍ଛା ଥିଲା ଜନସେବା କରିବାକୁ । ତେଣୁ ୨୦୧୬ରେ ମଧ୍ୟପ୍ରଦେଶ ଲୋକସଭା ଆୟୋଗ ପରୀକ୍ଷାରେ ସଫଳତା ପାଇ ଡେପୁଟି ଏସପି ଭାବେ କାର୍ଯ୍ୟ କଲେ । ପରବର୍ତ୍ତି ସମୟରେ ୨୦୧୭ରେ ଏମପିପିଏସସି ପରୀକ୍ଷାରେ ସଫଳତା ପାଇ ଡେପୁଟି କଲେକ୍ଟର ପଦ ପାଇଲେ । ତେବେ ଏକ ଜୁନ୍ ୨୨ ରେ ନିଜ ପଦରୁ ଇସ୍ତଫା ଦେଇ ଅନେକ ମନ ଜିତିପାରିଛନ୍ତି ଉପଜିଲ୍ଲାପାଳ ନିଶା ବାଙ୍ଗରେ ।