ଆଗକୁ ଆସୁଛି ରଜ : ପର୍ବପର୍ବାଣୀରେ ସଂକ୍ରମଣ ବଢିବା ଆଶଙ୍କା; ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

122

କନକ ବ୍ୟୁରୋ : ରାଜ୍ୟରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତକାଲି ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୦ ନୂଆ ମାମଲା ଆସିଛି । ଆଗକୁ ରଜ ଆସୁଛି । ଲୋକେ ଭୋଜିଭାତ ଓ ଉତ୍ସବ ପାଇଁ ଏକାଠି ହେବେ । ରଜ ପାଳିବା ପାଇଁ ପ୍ରବାସୀ ଓଡ଼ିଶା ଫେରିବେ । ତେଣୁ ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଏହା ସହ ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବ । ହଜାର ହଜାର ଦର୍ଶକ ଏକାଠି ହେବେ । ଏଠାରେ ମଧ୍ୟ ସଂକ୍ରମଣ ବଢିବା ବିପଦ ରହିଛି । ତେଣୁ ବାରବାଟୀ ମ୍ୟାଚରେ ସମସ୍ତ ଦର୍ଶକ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏପଟେ ଦେଶରେ ବଢୁଛି କରୋନା ସଂକ୍ରମଣ । ଆଜି ବି ୭ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୭ ହଜାର ୫୮୪ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ତୁଳନାରେ ଆଜି ୪ ଦଶମିକ ୮ ପ୍ରତିଶତ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । ସବୁଠୁ ଅଧିକ ମାମଲା ମହାରାଷ୍ଟ୍ର ଓ କେରଳରୁ ଚିହ୍ନଟ ହେଉଛନ୍ତି । ୨୪ ଘଂଟାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ୨୮୧୩, କେରଳରେ ୨୧୯୩, ଦିଲ୍ଲୀରେ ୬୨୨, କର୍ଣ୍ଣାଟକରୁ ୪୭୧ ଓ ହରିୟାଣାରୁ ୩୪୮ ନୂଆ ମାମଲା ଆସିଛି ।

ନୂଆ ଚିହ୍ନଟ ମାମଲାରୁ କେବଳ ମହାରାଷ୍ଟ୍ରରୁ ୩୭ ଦଶମିକ ୦୯ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସତର୍କ କରାଇଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଦେଶରେ ୪ ମାସ ହେଲାଣି କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ଥିଲା । ଗତ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି । ସଂକମଣ ରୋକିବା ପାଇଁ ଗାଇଡଲାଇନ୍, ଟିକାକରଣ, ଟେଷ୍ଟିଂ ଉପରେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।