କନକ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଭୟ ବଢ଼ୁଥିବା ବେଳେ ଖୋର୍ଦ୍ଧା ରାଜ୍ୟର ଏକ ନମ୍ବର ଡେଙ୍ଗୁପ୍ରବଣ ଜିଲ୍ଲା ପାଲଟିଛି। ବସ୍ତିରୁ ଆପାର୍ଟମେଣ୍ଟ ସବୁଠି ମଶା ଭଣଭଣ ହେଉଛନ୍ତି। ଘରେ ଘରେ ଜ୍ୱର ବ୍ୟାପୁଛି। ହେଲେ ନିୟନ୍ତ୍ରଣରେ ଫେଲ ମାରିଛି ବିଏମସି। ଏହାରି ଭିତରେ ଡେଙ୍ଗୁରେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କ ଜୀବନ ଯିବା ପରେ ଭୟ ବଢ଼ିଯାଇଛି।

Advertisment

ଡେଉଁଛି ଡେଙ୍ଗୁ, ବିଏମସି ଫେଲ ଡେଙ୍ଗୁକୁ ନେଇ ଭୟରେ ଭୁବନେଶ୍ୱରବାସୀ। ଶନିବାର ରାତିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଜୀବନ ନେଇଛି ଡେଙ୍ଗୁ। ଏବେ ବସ୍ତିରୁ ଆପାର୍ଟମେଣ୍ଟ, ସବୁଠି ମଶା ଭଣ ଭଣ। ଘରେ ଘରେ ଜ୍ୱର। ବର୍ଷାଦିନେ ଏଡିସ୍ ମଶାର ପ୍ରାଦୁର୍ଭାବ ବଢୁଥିବା ବେଳେ ବିଏମସିର ଉଦାସୀନତା ଏବେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢାଇ ଚାଲିଛି। ତେବେ ଡେଙ୍ଗୁକୁ ନିପାତ କରିବା ସମ୍ଭବ ନୁହେଁ, କିନ୍ତୁ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ମେୟର।

ସାବଧାନ ହୋଇଯାଆନ୍ତୁ। କାରଣ ଡେଙ୍ଗୁରେ ଏବେ ଖୋର୍ଦ୍ଧା ଏକ ନମ୍ବରରେ ରହିଛି। ଯଦି ଆପଣ ଭୁବନେଶ୍ବରରେ ରହୁଛନ୍ତି, ଆପଣଙ୍କୁ ହୋଇପାରେ ଡେଙ୍ଗୁ ଜ୍ବର। ନଜର ପକାନ୍ତୁ ଡେଙ୍ଗୁ ହଟସ୍ପଟ ଉପରେ :

ସାଲିଆ ସାହି, ଆଇଆରସି ଭିଲେଜ, ଜାଗମରା, ଜୟଦେବ ବିହାର, ଖଣ୍ଡଗିରି, ନୟାପଲ୍ଲୀ, ପଥରଗାଡିଆ, ପଟିଆ, ରସୁଲଗଡ, ରେଣ୍ଟାଲ କଲୋନୀ, ଶିଖରଚଣ୍ଡୀ ଏବେ ପାଲଟିଛି ଏଡିସ ମଶାଙ୍କ ଆଡ୍ଡାସ୍ଥଳୀ।

ଖୋର୍ଦ୍ଧାରେ ୫୩୭, ଭୁବନେଶ୍ବରରେ ୪୦୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ
ଜୁଲାଇରେ ୩୧୪ ଓ ଅଗଷ୍ଟରେ ବର୍ତ୍ତମାନ ସୁଦ୍ଧା ୧୫୦ ଡେଙ୍ଗୁ ରୋଗୀ ଚିହ୍ନଟ
କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୦୦ ରୋଗୀଙ୍କ ପରୀକ୍ଷା
ରାଜ୍ୟରେ ମୋଟ ୨୦୭୨ ଡେଙ୍ଗୁ ରୋଗୀ ବାହାରିଲେଣି

ଗୋଟିଏ ପଟେ ଡେଙ୍ଗୁ ଉଗ୍ର ରୂପ ନେଉଥିବା ବେଳେ ଅନ୍ୟପଟେ ବିଏମସି ମଶା ଧୂଆଁଗାଡି ବୁଲାଉନଥିବା ଅଭିଯୋଗ ଆଣୁଛନ୍ତି ଲୋକେ। ତେଣୁ ଡେଙ୍ଗୁରେ ଏକ ନମ୍ବର ଥିବା ଖୋର୍ଦ୍ଧାରେ କେମିତି ଏହାକୁ ଦମନ କରାଯିବ ତାହା ବିଏମସି ପାଇଁ ବଡ ଚ୍ୟାଲେଞ୍ଜ।