ସାରା ରାଜ୍ୟକୁ କବଳିତ କରିଛି ଡେଙ୍ଗୁ : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ
କନକ ବ୍ୟୁରୋ : ଚଳିତବର୍ଷ ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଡେଙ୍ଗୁ କବଳରେ ରହିଛି । ଏ ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଖୋର୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚଳିତବର୍ଷ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକୁ ପଛରେ ପକାଇ ଦେଇଛି ରାଜଧାନୀ । ଗୋଟିଏ ଜିଲ୍ଲାରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ଭୁବନେଶ୍ୱରରେ ତା’ଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷେ ଚଳିତ ବର୍ଷ ୫ଜଣ ଡେଙ୍ଗୁରେ ପ୍ରାଣ ହରାଇଥିବା ଅଭିଯୋଗ କରାଯାଉଥିବା ବେଳେ ସରକାରୀ ଭାବେ ୩ଜଣ ଏଥିରେ ପ୍ରାଣ ହରାଇଥିବା କୁହାଯାଇଛି । ଏହି ୩ ମୃତ୍ୟୁକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଥମେ ସ୍ୱୀକାର କରି ନ ଥିଲା । କିନ୍ତୁ ପରବର୍ତୀ ସମୟରେ ମାନି ନେଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବର୍ଷ ଆରମ୍ଭରୁ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟରେ ୮୫୨୫ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୫୩୨ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୪୫୧ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରେ ୩୨୫, ରାୟଗଡ଼ାରେ ୧୩୩, ଜଗତସିଂହପୁରରେ ୬୫, ଯାଜପୁର ୬୩, ପୁରୀରେ ୫୬, କଳାହାଣ୍ଡିରେ ୫୩, ବାଲେଶ୍ୱର ୪୪, ଭଦ୍ରକରେ ୩୫, କେନ୍ଦ୍ରାପଡ଼ାରେ ୩୩, ନୟାଗଡ଼ରେ ୩୨, ଗଞ୍ଜାମ ୨୮, ଢେଙ୍କାନାଳ ୨୬, ଅନୁଗୁଳ ୧୮, କେନ୍ଦୁଝର ୧୨, ସମ୍ବଲପୁରରେ ୮, ମୟୂରଭଞ୍ଜ ଓ ବଲାଙ୍ଗୀରରେ ୬, ସୁନ୍ଦରଗଡ଼ ଓ ବରଗଡ଼ରେ ୪ ଓ କନ୍ଧମାଳ ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଅଗଷ୍ଟ ୧୭ ତାରିଖ ସୁଦ୍ଧା ୪୯୮୫ ବ୍ୟକ୍ତିଙ୍କ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୧୨ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ଚଳିତବର୍ଷଠାରୁ ଯଥେଷ୍ଟ କମ୍ ।