ନଷ୍ଟ କରାଯାଇନି ଗୋଟିଏ ବି ଅଚଳ ନୋଟ୍

38

କନକ ବ୍ୟୁରୋ: ବିମୁଦ୍ରାକରଣ ଘୋଷଣାକୁ ପ୍ରାୟ ୧୦ ମାସ ପୂରିବାକୁ ବସିଲାଣି । ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖଣ୍ଡେ ହେଲେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ନଷ୍ଟ କରାଯାଇନାହିଁ । ଦେଶର ୪୦୭୫ଟି କରେନ୍ସି ଚେଷ୍ଟରେ ଏଗୁଡ଼ିକୁ ମହଜୁଦ କରି ରଖାଯାଇଛି । ନୋଟ୍ ଗଣତି ଏବଂ ନକଲି ନୋଟ୍ ଚିହ୍ନଟ ପ୍ରକ୍ରିୟା ଏବେ ବି ଚାଲିଛି । ଫଳରେ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କମାନଙ୍କୁ ସମସ୍ତ ଅଚଳ ନୋଟକୁ ମହଜୁଦ କରି ରଖିବାକୁ ନିର୍ଦେଶ ଦେଇଛି ।

ଅଚଳ ନୋଟଗୁଡ଼ିକୁ ରଖିବା ପାଇଁ କରେନ୍ସି ଚେଷ୍ଟରେ ଆଉ ଫାଙ୍କା ସ୍ଥାନ ନାହିଁ । ସେଥିପାଇଁ ନୂଆ ନୋଟ୍ ମଗାଇବା ମଧ୍ୟ ସମ୍ଭବ ହେଉନାହିଁ । ଯାହାର ପରିଣାମ ସ୍ୱରୂପ ବ୍ୟାଙ୍କରେ ନୋଟ୍ ଅଭାବ ଦେଖାଦେଉଛି ଏବଂ ଅନେକ ସମୟରେ ଏଟିଏମ୍ ଗୁଡ଼ିକ ଖାଲି ହୋଇଯାଉଛି ।

ବିମୁଦ୍ରାକରଣ ପୂର୍ବର ନୋଟ୍ ପରିମାଣ ସ୍ଥିତିକୁ ଆସିବା ପାଇଁ ଆହୁରି ପ୍ରାୟ ୨.୪୬ ଲକ୍ଷ କୋଟି ଟଙ୍କା ଦରକାର । ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଏପର୍ଯ୍ୟନ୍ତ ଗୋଟିଏ ହେଲେ ଅଚଳ ନୋଟକୁ ନଷ୍ଟ ବା ଟୁକୁରା ଟୁକୁରା କରାଯାଇନାହିଁ । ରିଜର୍ଭ ବ୍ୟାଙ୍କରେ ଏହି ନୋଟ୍ ଜମା କରିବାକୁ ସ୍ଥାନ ନଥିବା କାରଣରୁ ଏସବୁକୁ ବ୍ୟାଙ୍କର କରେନ୍ସି ଚେଷ୍ଟରେ ରଖାଯାଇଛି ।

ତେବେ ଟଙ୍କା ମହଜୁଦ ରଖାଯାଇଥିବା ୪୦୭୫ଟି କରେନ୍ସି ଚେଷ୍ଟ ମଧ୍ୟରୁ ୨୭୨୨ଟି ବା ପ୍ରାୟ ୬୭% ଷ୍ଟେଟ ବ୍ୟାଙ୍କର ହୋଇଥିବାବେଳେ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୧୧୭୩ଟି କରେନ୍ସି ଚେଷ୍ଟ ରହିଛି । ଏତଦବ୍ୟତୀତ ଘରୋଇ ବ୍ୟାଙ୍କ ଗୁଡ଼ିକ ୧୬୦ଟି କରେନ୍ସି ଚେଷ୍ଟ ପରିଚାଳନା କରୁଥିବାବେଳେ ୩ଟି ସମବାୟ ବ୍ୟାଙ୍କ ଏବଂ ୪ଟି ବିଦେଶୀ ବ୍ୟାଙ୍କ ଏବଂ ୫ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଦ୍ୱାରା ପରିଚାଳିତ ହେଉଛି ।