ଯୌତୁକ ଜୁୁଇରେ ଆଉ ଜଣେ ନବବଧୂ । ବାରମ୍ବାର ଶାଶୁଘର ଲୋକଙ୍କ ଦାବି ପୂରଣ ନକରିବାରୁ ବଳି ପଡିଲା କବିତା

624

କନକ ବ୍ୟୁରୋ: କାନ୍ଥରୁ ଲିଭିନି ବିବାହ ପତ୍ରିକା । ପାଦରୁ ଲିଭିନି ଅଳତା । ହେଲେ ଲିଭିଗଲା ନବବଧୂର ଜୀବନ ଶିଖା । ବାହାଘରକୁ ଦିନ କେଇଟା ନପୁରୁଣୁ ଯୌତୁକ ଜୁଇରେ ବଳିପଡିଛି ଆଉ ଜଣେ ନବବଧୂ । ଏଭଳି ଦୁଃଖଦ ଘଟଣା ଘଟିଛି ଗଂଜାମ ସେରଗଡ ଥାନା ଅନ୍ତର୍ଗତ ପଟ୍ଟାପାବୁଲି ଗାଁରେ ।

ଲାଞ୍ଚିଆପଲ୍ଲୀ ଗାଁର ସୀମାଞ୍ଚଳ ସ୍ୱାଇଁଙ୍କ ଝିଅ କବିତା ପଟ୍ଟାପାବୁଲି ଗାଁର ଅଭି ସ୍ୱାଇଁଙ୍କ ପୁଅ କାଳୁ ସ୍ୱାଇଁଙ୍କୁ ବୈଦିତ ରୀତିନୀତିରେ ବିବାହ କରିଥିଲେ । ବିବାହ ସମୟରେ ବର ପକ୍ଷଙ୍କ ଦାବି ମୁତାବକ ଯୌତୁକ ବି ଆଣିଥିଲେ କବିତା । ହେଲେ ଏତିକିରେ ମେଣ୍ଟିନଥିଲା ଯୌତୁକ ଲୋଭି ଦାନବଙ୍କ ଭୋକ । ଶାଶୁଘରେ ପାଦ ଦେଉଦେଉ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । ଯୌତୁକ ପାଇଁ ଶାଶୁଘର ଲୋକେ ମିଶି ତାଙ୍କୁ ମାଡ ମାରୁଥିବାର କବିତା ତାଙ୍କ ବାପ ଘରକୁ ଫୋନ କରି ଜଣାଇଥିଲେ । ଏହି ଘଟଣାକୁ ନେଇ କବିତାଙ୍କ ବାପା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ବହୁ ବାଦ ବିବାଦ ପରେ ସମସ୍ୟାର ସମଧାନ ହୋଇଥିଲା । ହେଲେ ପୁଣିଥରେ ୧୬ ତାରିଖରେ କବିତା କାନ୍ଦି କାନ୍ଦି ବାପାଙ୍କ ପାଖକୁ ଫୋନ କରିଥିଲେ । ଶାଶୁ ଘରେ ପୁଣିଥରେ ତାଙ୍କୁ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଚକ୍ରାନ୍ତ କରିଥିବା କଥା କହିଥିଲେ । ହେଲେ ସକାଳୁ ଯାଇ ବୁଝାସୁଝା କରିବାକୁ ଚିନ୍ତା କରିଥିଲେ କବିତାଙ୍କ ବାପଘର ଲୋକେ । ହେଲେ ପରଦିନ ସକାଳ ସୂର୍ଯ୍ୟ ଦେଖିପାରିନଥିଲେ କବିତା । ବାପା ସୀମାଞ୍ଚଳ ବାରମ୍ବାର ଫୋନ୍ କରିବା ପରେ ବି କବିତା ଫୋନ୍ ନଉଠାଇବାରୁ ତାଙ୍କ ମନରେ ସନ୍ଦେହ ହୋଇଥିଲା । ଆସି ଦେଖିବା ବେଳକୁ ଖଟ ଉପରେ ପଡିଥିଲା କବିତାର ନିସ୍ତେଜ ଦେହ ।

ଏନେଇ ଶେରଗଡ ଥାନାରେ ଅଭିଯୋଗ କରିବା ପରେ ଥନାଧିକାରୀ ପହଞ୍ଚି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ , ମାଜିଷ୍ଟ୍ରେଟ ଅକ୍ଷୟ କୁମାର ପହଞ୍ଚି ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କବିତାଙ୍କ ସ୍ୱାମୀ , ଶାଶୁ , ଦେଢଶୁରଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି ପୋଲିସ ।
ଦିନ ପ୍ରତିଦିନ ଯୌତୁକ ନିଆଁରେ ଜଳିପୋଡି ପାଉଁଶ ହୋଇଯାଉଛି ନବବଧୂଙ୍କ ଜୀବନ । ଏଠି ପ୍ରଶ୍ନ କେବେ ଲିଭବ ସମାଜର ଏ କଳଙ୍କ । କେବେ ମିଳିବ ଯୌତୁକ ଦାନବଙ୍କୁ କଠୋର ଶାସ୍ତି?