କନକ ବ୍ୟୁରୋ : ୨୦୧୮ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଡ଼ ବିବାଦ ହୋଇଥିଲା । ଏବେ ଏନେଇ ନିଜ ପୁସ୍ତକରେ ବଡ଼ ଖୁଲାସା କରିଛନ୍ତି ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ । ନିଜ ପୁସ୍ତକ ‘କ୍ୱେଷ୍ଟ ଅଫ୍ ରିଷ୍ଟୋରିଂ ଫାଇନାନ୍ସିଆଲ ଷ୍ଟାବିଲିଟି ଇନ୍ ଇଣ୍ଡିଆ’ରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ବ୍ୟୟ ଅଟକଳ ବଢ଼ାଇବାକୁ ଚାହୁଁଥିଲେ ।

Advertisment

ସେଥିପାଇଁ ୨୦୧୮ରେ ଆଇବିଆଇ ବାଲାନ୍ସ ସିଟରୁ ୨ରୁ ୩ ଲକ୍ଷ କୋଟି ଟଙ୍କା ଦେବାକୁ ଦାବି କରିଥିଲେ ବୋଲି ତାଙ୍କ ପୁସ୍ତକରେ ଲେଖିଛନ୍ତି ଆରବିଆଇର ପୂର୍ବତନ ଡେପୁଟି ଗର୍ଭନର । ଆଗାମୀ କିଛି ମାସ ଭିତରେ ଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ବଡ଼ ଖୁଲାସା କରିଛନ୍ତି ବିରଳ ଆଚାର୍ଯ୍ୟ । ୨୦୧୮ରେ ସାର୍ବଜନୀନ ମଞ୍ଚରେ ଭାଷଣ ଦେବା ବେଳେ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ସମ୍ପର୍କ ଭଲନଥିବା କହିଥିଲେ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ।

ବିରଳ ଖୋଲିଲେ ବିବାଦର କାରଣ

- ‘କ୍ୱେଷ୍ଟ ଅଫ୍ ରିଷ୍ଟୋରିଂ ଫାଇନାନ୍ସିଆଲ ଷ୍ଟାବିଲିଟି ଇନ୍ ଇଣ୍ଡିଆ’ରେ ବଡ଼ ଖୁଲାସା
- କେନ୍ଦ୍ର ଓ ଆରବିଆଇ ବିବାଦ ନେଇ ପୁସ୍ତକରେ ଉଲ୍ଲେଖ କଲେ ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ
- ପ୍ରତିବର୍ଷ ରିଜର୍ଭ ବ୍ୟାଙ୍କ ଯେଉଁ ଲାଭ କରିଥାଏ ତାହାର କିଛି ଅଂଶ ପାଖରେ ରଖି ଅବଶିଷ୍ଟ ରାଶି ସରକାରଙ୍କୁ ଦେଇଥାଏ
- ୨୦୧୬ରେ ବିମୁଦ୍ରାକରଣ ଘୋଷଣା ହେବା ପୂର୍ବ ବର୍ଷ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ରେକର୍ଡ ପାଣ୍ଠି ହସ୍ତାନ୍ତର କରିଥିଲା
- ବିମୁଦ୍ରାକରଣ ପରେ ନୋଟ୍ ଛପାଇବାରେ ଅଧିକ ଖର୍ଚ୍ଚ ହେବାରୁ ସରକାରଙ୍କୁ ମିଳୁଥିବା ପାଣ୍ଠି ପରିମାଣ କମିଯାଇଥିଲା
- ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଥିଲା, ୨୦୧୯ ନିର୍ବାଚନ ପୂର୍ବରୁ ଅଧିକ ପାଣ୍ଠି ଦେବା ଲାଗି ସରକାର ଦାବି କରିଥିଲେ
- ଗଳାବାଟରେ ବିତ୍ତୀୟ ନିଅଂଟକୁ ନିୟନ୍ତ୍ରଣ କରିବା ଲାଗି ସରକାର ଉଦ୍ୟମ କରିଥିବା ପୁସ୍ତକରେ ଉଲ୍ଲେଖ
- ପୁଂଜି ପ୍ରତ୍ୟାହାର ଜରିଆରେ ସରକାର ପାଣ୍ଠି ଯୋଗାଡ଼ କରିବାରେ ବିଫଳ ହେଉଥିଲେ
- ସେଥିପାଇଁ ଆରବିଆଇରୁ ଅଧିକ ପାଣ୍ଠି ଯୋଗାଇ ଦେବାକୁ ଦାବି କରିଥିଲେ
- ଆରବିଆଇ ରାଜି ନହେବାରୁ ସରକାର ରିଜର୍ଭ ବ୍ୟାଙ୍କ ନିୟମର ଧାରା ୭କୁ ଲାଗୁ କରିବା ବିଷୟରେ ସରକାର ବିଚାର କରିଥିଲେ
- ୨୦୧୮ ଅକ୍ଟୋବରରେ ବିରଳ ଆଚାର୍ଯ୍ୟ ଏକ ସଭାରେ ଖୋଲାଖୋଲି କହିବା ପରେ ସରକାର ଏହାକୁ ଗୁରୁତର ସହ ନେଇଥିଲେ
- ରିଜର୍ଭ ବ୍ୟାଙ୍କରୁ କେତେ ପାଣ୍ଠି ଆସିବ ତାହାର ହାର ନିର୍ଦ୍ଧାରଣ କରିବା ଲାଗି ଆରବିଆଇ ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ
- ଏହା ପରଠାରୁ ସେହି ହାର ଅନୁସାରେ ସରକାରଙ୍କୁ ପାଣ୍ଠି ଦେଉଛି ରିଜର୍ଭ ବ୍ୟାଙ୍କ
- ୨୦୨୨-୨୩ରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୮୩ହଜାର ୪୧୬ କୋଟି ଟଙ୍କା ଦେଇଥିଲେ