ଚୀନରେ ବ୍ୟାପୁଛି ଡେଲଟା ଭାରିଆଣ୍ଟ । ୧୭ଟି ପ୍ରାନ୍ତରେ ସଂକ୍ରମିତ ଲୋକେ । ସଂକ୍ରମଣ ରୋକିବାକୁ ପ୍ରଶାସନର କଡା କାର୍ଯ୍ୟାନୁଷ୍ଠାନ ।

226

କନକ ବ୍ୟୁରୋ: ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଘରେ ବନ୍ଦୀ କରୁଛି ଚୀନ ପ୍ରଶାସନ । ଘର ବାହାରୁ ଲୁହା ରଡ ଜରିଆରେ ଲୋକଙ୍କୁ ବନ୍ଦୀ କରାଯାଉଛି । ପିପିଇ କିଟ୍ ପିନ୍ଧି ଚୀନର ସୁରକ୍ଷାକର୍ମୀ ଆକ୍ରାନ୍ତଙ୍କ ଘର ବାହାରକୁ ସିଲ୍ କରୁଛନ୍ତି । କେବଳ ସେତିକି ନୁୁହେଁ, ହାତୁଡି କଣ୍ଟା ସାହାଯ୍ୟରେ ଘର ଦ୍ୱାରକୁ ବନ୍ଦ କରାଯାଉଥିବାରି ଦୃଶ୍ୟ ଏବେ ଚୀନରେ ଦେଖିବାକୁ ମିଳିଛି ।

ଚୀନରେ ଧୀରେ ଧୀରେ କରୋନାର ଡେଲଟା ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ଶୁକ୍ରବାର ହେଲଥ କମିଶନ କହିଛନ୍ତି ଦେଶର ୧୭ଟି ପ୍ରାନ୍ତରେ ଡେଲଟା ଭାରିଆଣ୍ଟରେ ଲୋକେ ସଂକ୍ରମିତ ହେଲେଣି । ପ୍ରଥମେ ନାନଜିଙ୍ଗ ଏୟାରପୋର୍ଟରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହାପରେ ଦେଶର ଅନ୍ୟ ପ୍ରାନ୍ତକୁ ଏହା ବ୍ୟାପିଥିଲା । ସଂକ୍ରମଣ ବଢୁଥିବାରୁ ଝାଙ୍ଗଜିଆଜି ଓ ନାନ୍ଜିଙ୍ଗ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ସେହିପରି ଜିଆଙ୍ଗସୁ, ହୁବେଇ, ହେନାନ ପ୍ରୋଭିନ୍ସରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଭିନ୍ନ ଭିନ୍ନ ସ୍ଥାନରେ ଟେଷ୍ଟିଂ ବୁଥ ଖୋଲାଯାଇ, ବ୍ୟାପକ ସଂଖ୍ୟାରେ ନମୂନା ପରୀକ୍ଷଣ କରାଯାଉଛି । ସେହିପରି ଲୋକଙ୍କୁ ମଧ୍ୟ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି ।