ଡେଲଟା ପ୍ଲସ ଭାରିଏଣ୍ଟ ଦେଶରେ ବଢ଼ାଉଛି ଚିନ୍ତା । ଏ ଯାଏଁ ଦେଶରେ ୪୮ ମାମଲା ଚିହ୍ନଟ । ମହାରାଷ୍ଟ୍ର ଡେଲଟା ପ୍ଲସ ଭାରିଏଣ୍ଟର ସର୍ବାଧିକ କେସ୍ ।

168

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀରେ ନୂଆ  ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କମ୍ ହେବାରେ ଲାଗିଛି  ।  ମାତ୍ର ଏବେ ସରକାରଙ୍କ ଚିନ୍ତା ବଢାଇଛି କୋଭିଡର ନୂଆ ଭାରିଏଣ୍ଟ ଡେଲ୍ଟା  ପ୍ଲସ୍ । ଆଉ ମହାରାଷ୍ଟ୍ରରେ ଏହାର ସବୁଠାରୁ  ଅଧିକ ମାମଲା ଚିହ୍ନଟ ହୋଇଛି  ।  ରାଜ୍ୟର  ୭ଟି  ଜିଲ୍ଲାରେ ଡେଲ୍ଟା  ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇଛି  । ଫଳରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି  ।  ଡେଲ୍ଟା  ପ୍ଲସ୍ ଭାରିଏଣ୍ଟର ମୁକାବିଲା  ପାଇଁ ଗୁରୁବାର କ୍ୟାବିନେଟ ବୈଠକ ବସିଥିଲା  ।  ଏଥିରେ ରାଜ୍ୟରେ  ପୁଣି ଥରେ ଲକଡାଉନ୍ କରିବା ସମ୍ଭାବନା ନେଇ  ଆଲୋଚନା ହୋଇଛି  ।

ମହାରାଷ୍ଟ୍ରର  ୭ଟି  ଜିଲ୍ଲାରେ  ପହଁଚି ସାରିଛି ଡେଲ୍ଟା  ପ୍ଲସ୍ ଭାରିଏଣ୍ଟ ।  ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି  ଯାଂଚ୍ କରାଯାଉଛି  ।  ଏହାସହ  ଆକ୍ରାନ୍ତଙ୍କ ସଂସ୍ପର୍ଶରେ  ଆସିଥିବା ଲୋକଙ୍କ  ନମୁନା  ମଧ୍ୟ  ସଂଗ୍ରହ କରାଯାଉଛି  । ସେପଟେ  ମଧ୍ୟପ୍ରଦେଶରେ ଡେଲ୍ଟା  ପ୍ଲସ୍ ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି  ।  ବର୍ତମାନ  ସୁଦ୍ଧା  ୭ଜଣ  ଡେଲ୍ଟା  ପ୍ଲସର  ଆକ୍ରାନ୍ତ  ହୋଇଥିବା ଚିହ୍ନଟ ହୋଇଛି  । ଡେଲଟା ପ୍ଲସ ଭାରିଏଣ୍ଟ ସଂକ୍ରମଣର ନୂଆ ନୂଆ କେସ୍ ଆସୁଥିବା ବେଳେ ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନଜର ରଖାଯାଉଛି  ।

ଡେଲ୍ଟା  ପ୍ଲସ୍ ଭାରିଏଣ୍ଟ ଅଧିକ ସଂକ୍ରାମକ ଏବଂ ଏହା ଖୁବଶୀଘ୍ର ଲୋକଙ୍କ ମଧ୍ୟରେ ବ୍ୟାପିପାରେ  ।  ତେବେ ଏହି ଭୂତାଣୁ ସହ ଲଢିବାରେ କରୋନା ଟିକା ଉପଯୁକ୍ତ କି  ନାହିଁ ସେନେଇ  ମଧ୍ୟ  ବୈଜ୍ଞାନିକଙ୍କ  ଅନୁସନ୍ଧାନ  ଜାରିରହିଛି  ।  କରୋନା ମହାମାରୀର  ଦ୍ୱିତୀୟ ଲହର ଏବେ ଧିମେଇବାରେ ଲାଗିଛି  ।  ନୂଆ  ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି  । ଗତ  ୨୪  ଘଂଟାରେ ୫୧ ହଜାର ୬୬୭ ଜଣ  ସଂକ୍ରମିତ ହୋଇଥିବା ବେଳେ କରୋନାରେ ୧୩୨୯ ଜଣଙ୍କ  ମୃତ୍ୟୁ ହୋଇଛି  ।  ଗତ  ୨୪  ଘଂଟାରେ ୬୪ ହଜାର ୫୨୭  ଜଣ  କରୋନାରେ ସୁସ୍ଥ ହୋଇଛନ୍ତି  ।