ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା, ଜାମା ମସଜିଦ ତଳେ ରହିଛି ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି

231

କନକ ବ୍ୟୁରୋ : ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ତଳୁ ଶିବ ଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷ ଦାବି କରିବା ପରେ ଏହାକୁ ନେଇ ଏବେ ବିବାଦ ଉଗ୍ରରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ହିନ୍ଦୁମହାସଭା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପୁଣି ଏକ ବିବାଦ ସୃଷ୍ଟି କରିଛି । ହିନ୍ଦୁ ମହାସଭା ଦାବି କରିଛି କି, ଦିଲ୍ଲୀରେ ଥିବା ଜାମା ମସଜିଦା ଶିଡି ତଳେ ବି ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ରହିଛି ।

ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜମା ମସଜିଦରେ ସର୍ଭେ କରିବାକୁ ଅନୁରୋଧ କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି ଜାମା ମସଜିଦର ଶିଡି ତଳେ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ରହିଛି । ଏହାକୁ ତୁରନ୍ତ ଖୋଳି ଦେବାଦେବୀଙ୍କ ମୂର୍ତ୍ତିକୁ ବାହାର କରିବା ପାଇଁ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ସୂଚନା ଥାଉକି ହିନ୍ଦୁ ମହାସଭା ଏଭଳି ଏକ ସମୟରେ ଏଭଳି ଦାବି କରିଛି କି ଯେତେବେଳେ ଜ୍ଞାନବାପୀ ମସଜିଦରୁ ଶିବଲିଙ୍ଗ ମିଳିଥିବା ନେଇ ହିନ୍ଦୁପକ୍ଷ ଦାବି କରୁଥିବା ବେଳେ ଏହାକୁ ଖଣ୍ଡନ କରିଛି ମୁସଲମାନ ପକ୍ଷ ।

କହିରଖୁ କି ଦେଶରେ ମହଙ୍ଗାମାଡ ୨୪ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଂଚିଛି । ବେରୋଜଗାରୀ ଓ ଋଣ ବୋଝରେ ୨୦୧୮-୨୦୨୦ ମଧ୍ୟରେ ୨୫ ହଜାର ଲୋକ ଆତ୍ମହତ୍ୟା କରିସାରିଛନ୍ତି । କରୋନା ମହାମାରୀ ବେଳେ ଅକ୍ସିଜେନ ସଂକଟରୁ ମେଡିକାଲରେ ହଜାର ହଜାର ଲୋକ ଛଟପଟ ହୋଇ ପ୍ରାଣ ହରାଇଛନ୍ତି । କୋଭିଡ ପାଇଁ ଲକଡାଉନ ଯୋଗୁଁ ଦେଶର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଏସବୁକୁ ସମାଧାନ କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହୋଇଥିବା ବେଳେ ଏସବୁ ସମସ୍ୟା ଓହାଡରେ ମନ୍ଦିର ମସଜିଦକୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ଦେଶର ଭବିଷ୍ୟତ ପାଇଁ ନିଶ୍ଚିନ୍ତ ଭାବେ ଏକ ଗମ୍ଭୀର ସଂକଟ ସୃଷ୍ଟି କରିପାରେ ।