କରୋନା ମହାମାରୀ ମଧ୍ୟରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା ସହାୟତା । ୨ ଲକ୍ଷ ଲୋକ ହେବେ ଉପକୃତ

433

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର । ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ୫୨.୮୮ କୋଟି ଟଙ୍କା ପଠାଇ ଦିଆଯାଇଥିବା କଥା କୁହାଯାଇଛି । ବାକିଥିବା ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଗାମୀ ଦିନରେ ଏହି ରାଶି ପ୍ରଦାନ କରାଯିବ ।

ଅନ୍ୟପଟେ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲ ମାନଙ୍କରେ ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଗୁରୁବାର ସୁଦ୍ଧା ଏହି ସବୁ ସ୍ଥାନରୁ ୭ ହଜାର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା କଥା କୁହାଯାଇଛି ।
ଏହାସହ ଦିଲ୍ଲୀ ସରକାର ୨/୩ ଦିନ ମଧ୍ୟରେ ଶ୍ରମିକ ମାନଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରୀ କରିବାକୁ ଯାଉଛନ୍ତି । ଏହି ନମ୍ବରରେ ଫୋନ କରି ଶ୍ରମିକମାନେ ଖାଦ୍ୟ ବଣ୍ଟନ କେନ୍ଦ୍ର, ମେଡିକାଲ ବେଡ, ଔଷଧ ଭଳି ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝି ପାରିବେ ।