ପ୍ରତି ବର୍ଷ ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ । ଦେଶର ଜଣେ ଦକ୍ଷ ପାଇଲଟକୁ କରିବ ସମ୍ମାନିତ । 

115

କନକ ବ୍ୟୁରୋ: ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ବି.ବି.ଏଲ୍‌ ମଧୁକର ବିଜୁ ଜୟନ୍ତୀ ସମାରୋହ ଅବସରରେ ଏହି ସୂଚନା ଦେଇଛନ୍ତି ।

ଏହି ଅବସରରେ ଆୟୋଜିତ ଏକ ସମାରୋହ ପାଇଁ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦିଲ୍ଲୀ ଫ୍ଲାଇଟ କ୍ଲବରେ ବିଜୁ ବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ତାଙ୍କର ବିମାନ ଉଡାଣର କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ସାହାସିକତା ଓ ଦେଶଭକ୍ତିର କଥା ବର୍ଣ୍ଣନା  କରୁଛି। 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁଁ ବିଜୁ ବାବୁ ୧୯୩୦ ଦଶକର ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଯାତ୍ରା। ଇଗଲ୍‌ ପରି ଉଚ୍ଚ ଆକାଶରେ ଉଡିବା ଏବଂ ଝଡ ସହ ଲଢିବା ତାଙ୍କର ନିଶା। ଆଉ ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିଥିଲା ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ। ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏ କି ତିନୋଟି ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ପାଇଲଟ ଭାବରେ ବିଜୁ ବାବୁଙ୍କ ଗୌରବମୟ ଯାତ୍ରା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରା ଓଡିଶା ଓ ଭାରତବାସୀ ଏହି କ୍ଲବର ଭୂମିକାକୁ ସବୁ ସମୟରେ ମନେ ରଖିବେ। ଜଣେ ଦକ୍ଷ ପାଇଲଟ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ବି.ବି.ଏଲ ମଧୁକରଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ୟ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ମଧ୍ୟ ଯୋଗ ଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ସଭାପତି ବି.ବି.ଏଲ ମଧୁକର ଏବଂ ସଂପାଦକ ଅମିତ ଶର୍ମା ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ।